ଜୁନିଅର କ୍ରିକେଟରଙ୍କ ଉପରେ OCAର ନଜର, ୩ ମାସ ସ୍ବତନ୍ତ୍ର କ୍ୟାମ୍ପ୍‌

କଟକ: ଓଡିଶାରେ ଜୁନିୟର କ୍ରିକେଟର ହେବ ବିକାଶ । ଓସିଏ ଆଣିଲା ସ୍ବତନ୍ତ୍ର ଯୋଜନା । ଓସିଏରେ ନୂତନ ଟେକ୍ନିକାଲ ନିର୍ଦ୍ଦେଶକ ଭି. ଭେଙ୍କଟରମଣ ନିଯୁକ୍ତ ହେବା ପରେ ଏଭଳି ଯୋଜନା ହାତକୁ ନେଇଛି ଓସିଏ । ବିଗତ ଅନେକ ବର୍ଷ ଧରି ବିସିସିଆଇର ଘରୋଇ ସିଜନରେ ଓଡିଶା ଜୁନିୟର ପ୍ରତିଯୋଗିତାରେ ନିରାଶ ହୋଇଛି । ତେଣୁ ଓସିଏର ଭିଜନ ୨୦୨୪ କୁ ଆଖି ଆଗରେ ରଖି ଜୁନିୟର କ୍ରିକେଟକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓସିଏ ।

ତେବେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନୂତନ ଟେକ୍ନିକାଲ ନିର୍ଦେଶକ ଭି. ଭେଙ୍କଟରାମ କହିଛନ୍ତି ଯେ, ଆଗାମୀ 2ରୁ 3 ମାସ ଓସିଏରେ ସ୍ବତନ୍ତ୍ର କ୍ୟାମ୍ପ କରାଯିବ । ଏହାବ୍ୟତୀତ କୋଚ, ସପୋର୍ଟ ଷ୍ଟାଫ ମାନଙ୍କ ସହ ଆଲୋଚନା କରାଯିବ । 14 ବର୍ଷ ରୁ କମ କ୍ରିକେଟରମାନେ କିପରି କ୍ରିକେଟ ସହ ପାଠକୁ ବେଶୀ ଗୁରୁତ୍ୱ ଦେବେ ତାହା ଉପରେ ମଧ୍ୟ ଫୋକସ କରାଯିବ ବୋଲି କହିଛନ୍ତି ଟେକ୍ନିକାଲ ନିର୍ଦେଶକ ।