ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା, ଆସିବ ମାର୍ଗଦର୍ଶିକା !

ଭୁବନେଶ୍ବର : ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳତା, ଆସିବ ମାର୍ଗଦର୍ଶିକା । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥି ନିମନ୍ତେ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ । ଯାତ୍ରାରେ ଅଶ୍ଳୀଳତା ବଢିଚାଲିଛି । ଏଥିରେ ରୋକ ଲଗାଇବାକୁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ତାରା । ଯାତ୍ରାରେ ଅଶ୍ଳୀଳତା ରୋକିବାକୁ ଯେଉଁ ମାର୍ଗଦର୍ଶିକା ଆସିବ ତାକୁ ସ୍ବାଗତ କରିଛନ୍ତି ତାରା । ଯାତ୍ରା ମନୋରଞ୍ଜନ ପାଇଁ କରାଯାଏ । କିନ୍ତୁ ଏଥିରେ ଅଶ୍ଳୀଳତା ରହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ତାରା । ସେହିପରି ଯାତ୍ରାରରେ ଅଶ୍ଳୀଳତା ଉପରେ ପୂର୍ଣ୍ଣଚ୍ଛେଦ ପଡିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ଆକାଶ ଦାସ ନାୟକ । ଯାତ୍ରା କଳାକାରଙ୍କୁ ସମ୍ମାନ ଦେବା ସହଲ ପୁରସ୍କାର ମଧ୍ଯ ଦିଆଯିବା ଉଚିତ । ସେହିପରି ସିନେମା ହଲ ବଢିବା ସହ ନୂଆ ଚଳଚ୍ଚିତ୍ର ନୀତି ଆସିବା ଦରକାର ବୋଲି କହିଚନ୍ତି ଆକାଶ । ଅଧିକ ହଲ ଖୋଲିବା ଲାଗି ସରକାର ମାଲିକମାନଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଦେବାକୁ ଆକାଶ ଦାବି କରିଛନ୍ତି । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ମଧ୍ୟ ଏଭଳି ମାର୍ଗଦର୍ଶିକାକୁ ସ୍ବାଗତ କରିଛନ୍ତି । କାରଣ କିଛି କଳାକାର ଯାତ୍ରାର ପବିତ୍ରତାକୁ ନଷ୍ଠ କରିଦେଉଛନ୍ତି । ସିନେମା ପରି ଯାତ୍ରାରେ ମଧ୍ୟ ସେନସର ଲାଗୁ ହେବା ଉଚିତ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଦ ଦାସ । ସେହିଭଳି ବରିଷ୍ଠ ଅଭିନେତା ବାପି ପଣ୍ଡା ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କିନ୍ତୁ ମାର୍ଗଦର୍ଶିକା ଆସିବା କେବଳ ଘୋଷଣାରେ ସୀମିତ ନରହୁ । ଯେଉଁମାନେ ଅଶ୍ଲିଳ ନୃତ୍ୟ ପରିବେଷଣ କରୁଛନ୍ତି ସେମାନଙ୍କ ବିରୋଧରେ ୫ରୁ ୭ ବର୍ଷ ଜେଲ ଦଣ୍ଡ ସହ ୩ହଜାରରୁ ୫୦ହଜାର ପର୍ଯ୍ୟନ୍ତ ଜୋରିମାନା ହେବା ଉଚିତ ବୋଲି ସେ କହିଛନ୍ତି ।