ସରସ୍ବତୀ ଭଷାଣ ନାଁରେ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଡ୍ୟାନ୍ସ, ନାଚି ନାଚି ରାସ୍ତାରେ ଗଡ଼ିଲେ

ସାଲେପୁର: ସରସ୍ବତୀ ମୂର୍ତ୍ତି ବିସର୍ଜନ ନାଁରେ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ନାଚ । ରାସ୍ତାରେ ଡିଜେ ବଜାଇ ନାଚି ନାଚି ଧୂଳି ଉଡାଇଲେ । କିଏ ଡ୍ରେସ ଖୋଲି ନାଚିଲା ତ କିଏ ତଳେ ଗଡ଼ି ଦେଖାଇଲା ନାଗୀନ ଡ୍ୟାନ୍ସ । ତାହା ପୁଣି କଲେଜ ୟୁନିଫର୍ମରେ । କଲେକ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ରାସ୍ତା ଉପରେ ଠାକୁର ବିସର୍ଜନ ନାଁରେ ଉତ୍ପାତ ମଚାଇଲେ ଛାତ୍ରଛାତ୍ରୀ । ଏଭଳି ବେସରମ ଘଟଣା ଘଟିଛି ନେମାଳ ଅଞ୍ଚଳରେ । ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରୁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । କଲେଜ କର୍ତ୍ତୃପକ୍ଷ ଏମିତି ଢଙ୍ଗରେ ମା’ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ଦେବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

ଖବର ଅନୁସାରେ, ଅନ୍ୟ ଶିକ୍ଷାନୁଷ୍ଠାନ ଭଳି ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ମଧ୍ୟ ଧୂମଧାମରେ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏଥିରେ କୌଣସି ଅସୁବିଧା ନାହିଁ । ବିଦ୍ୟାଦାତ୍ରୀଙ୍କ ପୂଜା ଶିକ୍ଷାନୁଷ୍ଠାନରେ ଜାକଜମକରେ କରାଯିବା ସ୍ବାଗତ ଯୋଗ୍ୟ । ହେଲେ କଲେଜ କର୍ତ୍ତୃପକ୍ଷ ଭୁଲିଗଲେ ସମସ୍ତ ହିତାହିତ ଜ୍ଞାନ । ମା’ଙ୍କ ଭଷାଣରେ ବଜାଇଲେ ଡିଜେ । ପିଲାଙ୍କୁ କଲେ ଭଷାଣ ଉତ୍ସବରେ ସାମିଲ । ତା’ପରେ ଆରମ୍ଭ ହୋଇଗଲା ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ଉଦଣ୍ଡ ନାଚ । ଗୀତରେ ତାଳ ଦେଇ ନାଚି ନାଚି ଧୂଳି ଉଡାଇଲେ ପିଲା । କଲେଜର କିଛି ଅଧ୍ୟାପକ ମଧ୍ୟ ଭଷାଣ ଉତ୍ସବରେ ହୋଇଥିଲେ ସାମିଲ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଶିକ୍ଷାନୁଷ୍ଠାନରେ ପିଲାମାନଙ୍କୁ ପାଠପଢ଼ା ସହ ସାମାଜିକ ଚଳିନି ଓ ଭଲ ସଂସ୍କାର ଶିକ୍ଷା ଦିଆଯାଇଥାଏ । ହେଲେ କଲେଜର ଅଧ୍ୟାପକଙ୍କ ଉପସ୍ଥିତିରେ କଲେଜ ଛାତ୍ରଛାତ୍ରୀ ଯେମିତି ନାଚଲେ ତାହା କଲେଜ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । କଲେଜ କାର୍ଯ୍ୟକ୍ରମରେ ଏଭଳି ଭଷାଣ ଉତ୍ସବ ପାଇଁ ଅନୁମତି ଦିଆଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଏମିତି ଭଷାଣ ଉତ୍ସବ ପାଇଁ ଅନୁମତି ଦେଇଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।