ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍; ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ନୂଆ ଶିଲ୍ପାୟନରେ ସହଯୋଗୀ ହେବାକୁ ନବୀନଙ୍କ ଆହ୍ବାନ । ୨୦୧୬ ଓ ୨୦୧୮ର ସଫଳତା ପରେ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨କୁ ସଫଳ କରିବାର ଯୋଜନା ରହିଛି । ଗତ ୨୦ ବର୍ଷ ଭିତରେ ଓଡ଼ିଶା କୃଷି ଭିତ୍ତିକ ଅର୍ଥନୀତିରୁ ଦେଶର ଏକ ଅର୍ଥନୀତିକ ଅଗ୍ରଣୀ ଶିଳ୍ପନୀତିରେ ପରିଣତ ହୋଇଛି । ଓଡ଼ିଶାର ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ରାଜ୍ୟରେ ଦକ୍ଷ ମାନବ ସମ୍ବଳ ଓ ରାଜନୈତିକ ସ୍ଥିରତା ରହିଛି । ଏହାସହ ପ୍ରଗତିଶୀଳ ନୀତି ନିବେଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି । ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଓଡ଼ିଶା ଏକ ଦେଶର ବିଶେଷ ସ୍ଥାନ ଗ୍ରହଣ କରିଛି। କେନ୍ଦ୍ର ସରକାରଙ୍କ ଇଜ ଅଫ ଡୁଇଂ ବିଜନେସରେ ଓଡ଼ିଶା ଆଚିଭର ଆୱାର୍ଡ ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ସହ ଲଢି ଓଡ଼ିଶା ଏବେ ବିଶ୍ବରେ ଲିଡର ଭୂମିକା ନିଭାଉଛି । ଅର୍ଥନୀତି ଓ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମେକ୍ ଇନ୍ ଓଡ଼ିଶା ତୃତୀୟ ସଂସ୍କରଣରେ ନିବେଶ ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ହୋଇଥିବା ବୈଠକ ଶେଷ ହୋଇଛି । ପ୍ରଥମେ ୩୦ଟି ଦେଶର ରାଷ୍ଟ୍ରଦୁତ ଏବଂ ୫୦ରୁ ଅଧିକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । କାହିଁକି ପୁଞ୍ଜିନିବେଶ ପାଇଁ ଓଡ଼ିଶା ବେଷ୍ଟ, ସେ ନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ସରକାର ଏବଂ ଫିକିର ସହଭାଗିତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । କନକ୍ଲେଭରେ ବିଭିନ୍ନ ଦେଶରୁ ଅଧିକ ପୁଞ୍ଜି କିପରି ଓଡ଼ିଶାକୁ ଆସିବ ସେନେଇ ଗୁରୁତ୍ବ ଦେଇଛନ୍ତି ନବୀନ । ଦେଶରେ ପୁଞ୍ଜିନିବେଶ କରିବା ପାଇଁ ଓଡ଼ିଶା ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇଛନ୍ତି ନବୀନ ଓ ବ୍ରିଗେଡ୍ । ଦିଲ୍ଲୀ ପରେ ମୁମ୍ବାଇରେ ସେପ୍ଟେମ୍ବର ୧୪ରେ ଇନଭେଷ୍ଟରର୍ସ ମିଟ୍‌ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ଶିଳ୍ପପତିଙ୍କୁ ନିବେଶ ପାଇଁ ନିମନ୍ତ୍ରଣ କରିବେ । ୨୦୧୮ରେ ମଧ୍ୟ ଏହିଭଳି ଭାବେ ଏକ ବୈଠକ ହୋଇଥିଲା ।