ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ, ରାତି ୧୧ରୁ କାର୍ଯ୍ୟରେ ଯୋଗଦେଲେ ନର୍ସ

ଭୁବନେଶ୍ବର: ଚାରି ଦିନର ଆନ୍ଦୋଳନ ପରେ ଓହରିଲେ ନର୍ସିଂ କର୍ମଚାରୀ । ଆନ୍ଦୋଳନରୁ ସମ୍ପୂର୍ଣ୍ଣ ଓହରିଥିବା ଘୋଷଣା କରିଛି ନର୍ସିଂ ଅଫିସର ସଂଘ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ଯାହାର ନେଇ ସଂଘ ପକ୍ଷରୁ ଘୋଷଣା କରାଯାଇଛି । ଆଜି ରାତି ସାଢେ ୧୧ରୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ନର୍ସ ।

ସନ୍ଧ୍ୟାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋନଚା କରିଥିଲା ନର୍ସିଂ ଅଫିସର ସଂଘ । ଏହାପରେ ସଂଘର ଜିଲ୍ଲା ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ସଂଘ ବୈଠକରେ ବିଷଦ ଆଲୋଚନା ପରେ ଆନ୍ଦୋଳନରୁ ସମ୍ପୂର୍ଣ୍ଣ ଓହରିଥିବା ନେଇ ସଂଘ ସାଧାରଣ ସମ୍ପାଦକ ଘୋଷଣା କରିଛନ୍ତି । ଦୀର୍ଘ ୪ ଦିନ ଧରି ଧାରଣା ଜାରି ରଖିବା ପରେ ଆନ୍ଦୋଳନ ପ୍ରତ୍ଯାହୃତ ନେଇ ଘୋଷଣା କରିଛନ୍ତି । ୧୦ ଦଫା ଦାବି ନେଇ ଚାରି ଦିନ ଧରି ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ସରକାରୀ ମେଡିକାଲରେ ଚାଲିଥିଲା ଏ ଆନ୍ଦୋଳନ। ନର୍ସିଂ ଅଫିସର ଆନ୍ଦୋଳନ ଯୋଗୁଁ ରାଜ୍ୟରେ ବ୍ଯାପକ ଭାବେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା । ସାରା ରାଜ୍ୟରୁ ରୋଗୀ ହନ୍ତସନ୍ତ ଖବର ଆଜି ଦିନ ତମାମ ଆସିଥିଲା । ଅନେକ ରୋଗୀ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।