ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ନର୍ସିଙ୍ଗ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ

1 min read

ଉମରକୋଟ/ ଜୟପୁର :   ତ୍ରିକୋଣୀୟ ପ୍ରେମର କରୁଣ ପରିଣତି । ନର୍ସିଙ୍ଗ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ । ଯୁବକଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ଚରମ ନିଷ୍ପତ୍ତି ଅଭିଯୋଗ । ଏବେ ଛାତ୍ରୀ ଜଣକ ମୁର୍ତ୍ୟୁ ସହ କରୁଛନ୍ତି ସଂଗ୍ରାମ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ ଘଟିଛି ଏଭଳି ସାଂଘାତିକ ଘଟଣା । ରାଇଘର ଅଞ୍ଚଳର ଜଣେ ଯୁବତୀ ଜୟପୁରର ଏକ କଲେଜରେ BSC ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ । ପୋଡୋଶୀ ଗାଁର ଜଣେ ଯୁବକ ଝିଅଟିକୁ ପ୍ରେମ କରୁଥିଲେ । ଯୁବକ ଜଣକ ଭୁବନେଶ୍ବରରେ କୃଷି ଇଂଜିନୟରିଂ ପାଠ ପଢନ୍ତି । ଏଭିତରେ ଯୁବତୀ ଜଣଙ୍କର ଆଉ ଜଣଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଛି । ଏକଥା ଯୁବକ ଜଣକ ଜାଣିବା ପରେ ଗତ ଜୁଲାଇ ୧୩ ତାରିଖରେ ଜୟପୁରରେ ଯୁବତୀଙ୍କୁ ରାସ୍ତାରେ ଅଟକାଇ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜୟପୁର ଟାଉନଥାନାରେ ଅଭିଯୋଗ ହୋଇ ଯୁବକ ଜଣକ ଗିରଫ ହୋଇଥିଲେ । ପରେ ଜାମିନରେ ମୁକୁଳି ଯୁବକ ଜଣକ ଯୁବତୀଙ୍କ ପ୍ରେମିକଙ୍କ ସହ ସମ୍ପର୍କକୁ ନେଇ ଛାନଭିନ କରିଥିଲେ । ଆଉ ଏ ସମ୍ପର୍କିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହା ଜାଣିବା ପରେ ଯୁବତୀ ଜଣକ ସମାଜ ଲଜ୍ଜା ଓ ଅପମାନ ଭୟରେ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ଜୁଲାଇ ୨୨ ରାତିରେ ଯବୁତୀଙ୍କ ଦାଦା ରାଇଘର ଥାନାରେ ଆଉ ଏକ ଏତଲା ଦେଇଛନ୍ତି । ଜୟପୁର ଟାଉନ ଥାନା ପୋଲିସ ଆରମ୍ଭରୁ ଅଭିଯୋଗକୁ ହାଲୁକା ଭାବେ ନେଇଥିବା ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ।

ସେପଟେ ପୀଡିତାଙ୍କ ବାପା ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟପୁର ଟାଉନ୍ ଥାନା ଅଧିକାରୀ  । ଜୁଲାଇ ୧୪ ତାରିଖରେ ଜୟପୁର ଟାଉନ ଥାନାରେ ଦିଆଯାଇଥିବା ଏତଲା ଆଧାରରେ ଯୁବକଙ୍କୁ ଗିରଫ କରାଯାଇ ସଙ୍ଗିନ ଦଫା ଲଗାଯାଇଥିଲା । ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ବେଲରେ ଆସିଥିଲା । ଜୟପୁର ପୋଲିସ ପକ୍ଷରୁ କୌଣସି ପ୍ରକାର ବିଳମ୍ବ କିମ୍ବା କେସକୁ ହାଲକା ଭାବେ ନିଆଯାଇନଥିବା କହିଛନ୍ତି ଥାନାଧିକାରୀ । ଅନ୍ୟପଟେ ଜୁଲାଇ ୧୩ ତାରିଖରେ ପୀଡିତା ବାହାରକୁ ଯାଇଥିଲେ । ସେ ବିଳମ୍ବିତ ରାତିଯାଏଁ ନଫେରିବାରୁ ତାଙ୍କୁ ଫୋନ କରି ପଚାରାଯାଇଥିଲା । ହେଲେ ସେ ତାଙ୍କ ବାପାଙ୍କ ସହିତ କଲେଜକୁ ଫେରିବା ବେଳେ ଅଟୋରୁ ପଡିଯାଇଥିବା କହିଥିଲେ । ପରେ ଝିଅ ଓ ବାପା ରେଜିଷ୍ଟେରରେ ଦସ୍ତଖତ କରି ଘରକୁ ଚାଲିଯାଇଥିବା କହିଛନ୍ତି କଲେଜର ସୁପ୍ରିଟେଣ୍ଟଣ୍ଡ । କିଏ କହୁଛି ସତ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ତଦନ୍ତ କରାଯାଇ ଯୁବକଙ୍କୁ ଗିରଫ ପାଇଁ ଦାବି ହୋଇଛି । ସେପଟେ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳଯରେ ଚିକିତ୍ସିତ ହେଉଛନ୍ତି ପୀଡିତା ।