ଘରୋଇ ହସ୍ପିଟାଲ କାନ୍ଥରୁ ନର୍ସଙ୍କୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଉନ୍ନାଓରେ ଲୋମହର୍ଷକ ଘଟଣା । ଏକ ଘରୋଇ ହସ୍ପିଟାଲ କାନ୍ଥରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନର୍ସ ଭାବେ ଯୋଗଦେବାର ପ୍ରଥମ ଦିନରେ ହିଁ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ପରିବାର ଆଣିଛନ୍ତି ଅଭିଯୋଗ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ହସ୍ପିଟାଲ ମାଲିକଙ୍କ ସମେତ ୩ ଜଣ ଅଭିଯୁକ୍ତ ଥିବା ସୂଚନା ମିଳିଛି । ବରିଷ୍ଠ ପୋଲିସ ଅଫିସର ଶଶୀ ଶେଖର ସିଂ କହିଛନ୍ତି- ପୋଷ୍ଟ ମର୍ଟମ ରିପୋର୍ଟରୁ ଦୁଷ୍କର୍ମ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଘଟଣାର ତଦନ୍ତ ଜାରି ରହିଛି ।

ଏହି ଲୋମହର୍ଷଣକାରୀ ଘଟଣା ଉନ୍ନାଓର ନ୍ୟୁ ଜୀବନ ହସ୍ପିଟାଲରେ ଘଟିଛି । ଗତ ଶୁକ୍ରବାର ଏହି ହସ୍ପିଟାଲରେ ନର୍ସଜଣଙ୍କ ଯୋଗଦେଇଥିଲେ ଏବଂ ପରଦିନ ସକାଳେ ତାଙ୍କ ମୃତଦେହ ଠାବ ହୋଇଥିଲା । ୫ ଦିନ ପୂର୍ବରୁ ଏହି ହସ୍ପିଟାଲ ଖୋଲିଥିଲା । ପୂର୍ବରୁ ଦୁଷ୍କର୍ମ ଘଟଣାରେ ଉନ୍ନାଓ ସାରା ଦେଶରେ ଚର୍ଚ୍ଚିତ ଥିଲା । ୨୦୧୭ରେ ଜଣେ ନାବାଳିକାକୁ ବଳାତ୍କାର ଘଟଣାରେ ବିଜେପି ବିଧାୟକ କୁଳଦୀପ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ସେହିପରି ଗତ ଅଗଷ୍ଟ ୨୦୧୯ରେ ଜଣେ ବାଳିକା ଓ ତାଙ୍କ ମା’ ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ଗଣଦୁଷ୍କର୍ମ ଅଭିଯୋଗ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଡିସେମ୍ବର ୨୦୧୯ରେ ଦୁଷ୍କର୍ମ ଅଭିଯୋଗ କ୍ରମେ ଜଣେ ୨୩ ବର୍ଷ ବୟସ୍କା ମହିଳା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ।