ନର୍ସଙ୍କ ଦାଦାଗିରି: ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଭାଙ୍ଗିଲେ, ସ୍ବାମୀଙ୍କୁ ଡାକି ଧକ୍କା ମରାଇଲେ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟ ଭିତରେ ନର୍ସଙ୍କ ଦାଦାଗିରି । ରୋଗୀଙ୍କୁ ସେବା ଦେବା ବଦଳରେ କଚାଡି ଭାଙ୍ଗିଲେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଫୋନ । ଖାଲି ଏତିକିରେ କଥା ସରିଲାନି । ନର୍ସ ମହାଶୟା ନିଜ ସ୍ବାମୀଙ୍କୁ ଡକାଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧକ୍କା ମରାଇ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଆଜି ସକାଳେ ମାଲକାନଗିରି ମ୍ୟୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁଙ୍କୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ । ଅଞ୍ଜୁଙ୍କ ପେଟ ବ୍ଯଥା ହେଉଥିବାରୁ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଭର୍ତ୍ତି ହେବା ଲାଗି ରେଫର କରିଥିଲେ । ରୋଗୀ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ଵାସ୍ଥ୍ଯ କର୍ମୀ ସେଠାରେ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ଯ ଏକ ରୁମରୁ ମୁନମୁନ ବିଶ୍ବାସ ନାମକ ଜଣେ ନର୍ସଙ୍କୁ ଡାକିଥିଲେ ରୋଗୀଙ୍କ ପରିବାର ଲୋକେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଏହାପରେ ସ୍ବାମୀଙ୍କୁ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧକ୍କା ମରାଇଥିଲେ ।

ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।