ନୁପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ଗିରଫଦାରୀ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ୧୦ ଅଗଷ୍ଟ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଯାଇଛି । ୧୦ ରେ ପରବର୍ତ୍ତୀ ଶୁଣାଣି ପରେ ଗିରଫ ଉପରେ ଶୁଣାଣି ହେବ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଦେଶ ବିଭିନ୍ନ ରାଜ୍ୟର ୯ଟି ସ୍ଥାନରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ।

କେନ୍ଦ୍ର କିମ୍ବା କୌଣସି ରାଜ୍ୟ ପୋଲିସ ତାଙ୍କ ବିରୋଧରେ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନନେବାକୁ ନୋଟିସ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ନୁପୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ କରି ଗିରଫ ଉପରେ ରୋକ୍ ସହ ସବୁ ଏଫଆଇଆରକୁ ଗୋଟିଏ ସ୍ଥାନ ଦିଲ୍ଲୀକୁ ଆଣିବା ପାଇଁ ଅନୁରୋଧ କରିଥିଲେ । ଏଥିସହ କହିଥିଲେ, ସୁପ୍ରିମକୋର୍ଟ ନିକଟରେ ଭର୍ତ୍ସନା କରିବା ପରେ ଜୀବନ ପ୍ରତି ବିପଦ ବଢ଼ିଯାଇଛି ।

ପ୍ରତିଦିନ ହତ୍ୟା ସହ ବଳାତ୍କାରର ଧମକ ଆସୁଛି । ଯେହେତୁ ପ୍ରଥମ ଏଫଆଇଆର ଦିଲ୍ଲୀରେ ହୋଇଥିଲା ତେଣୁ ସବୁ ଏଆଇଆର ଦିଲ୍ଲୀ ଟ୍ରାନ୍ସଫର କରାଯାଇ ଏଠାରେ ହିଁ ଶୁଣାଣି ପାଇଁ ନିବେଦନ କରିଥିଲେ । ଆଜି କୋର୍ଟରେ ନୁପୁରଙ୍କ ଓକିଲ ମନିନ୍ଦର ସିଂହ ସୁପ୍ରିମକୋର୍ଟରେ ତାଙ୍କ ପକ୍ଷ ରଖିଥିଲେ ।  ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ନୁପୁର ସୁପ୍ରିମକୋର୍ଟରେ ଏଫାଇଆର ସମ୍ବନ୍ଧିତ ଏକ ଆବେଦନ କରିଥିଲେ । ସେ ସମୟରେ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ । ସାରା ଦେଶ ସାମ୍ନାରେ କ୍ଷମା ମାଗିବାକୁ କୋର୍ଟ କହିଥିଲେ ।

ସୂଚନାଥାଉକି, ଦୁଇ ମାସ ତଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ଏକ ଟିଭି ଡିବେଟ ଶୋ’ରେ ମୁସଲିମଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟର ଲୋକ ଆନ୍ଦୋଳନ କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ଏମିତିକି ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଦୁଇ ଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା  । ରାଜସ୍ଥାନ ଉଦୟପୁରର ଜଣେ ଟେଲରଙ୍କୁ ଦୋକାନରେ ପସି ଦୁଇଜଣ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ ସେହିପରି ମହାରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦୋକାନୀଙ୍କୁ ବାଟରେ ଯିବା ସମୟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା ।