ଗିରଫ ଉପରେ ରୋକ୍ ଲଗାଇବାକୁ ଆବେଦନ କଲେ ବିବାଦୀୟ ନେତ୍ରୀ ନୁପୁର ଶର୍ମା

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଫେଟ ମହମ୍ମଦଙ୍କ ଉପରେ ନିଜର ବିବାଦୀୟ ବୟାନ ପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଥିଲା । ତାଙ୍କ ବିରୋଧରେ ରୁଜୁ ୯ ଏଫଆଇଆର ଆଧାରରେ ଗିରଫ ଉପରେ ରୋକ୍ ଲଗାଇବା ପାଇଁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ନିବେଦନ କରିଛନ୍ତି ।

ଶର୍ମା ନିଜ ଆବେଦନରେ କହିଛନ୍ତି, ସୁପ୍ରିମକୋର୍ଟରେ ଖଣ୍ଡପୀଠଙ୍କ ଦ୍ୱାରା ନିକଟରେ କରାଯାଇଥିବା ସମାଲୋଚନା ପରେ ତାଙ୍କ ଜୀବନ ପାଇଁ ବିପଦ ଆହୁରି ବଢ଼ିଯାଇଛି । ତାଙ୍କୁ ଜୀବନରୁ ମାରିଦେବାକୁ ଏବଂ ବଳାତ୍କାର ପର୍ଯ୍ୟନ୍ତ ଧମକ ଦିଆଯାଉଛି । ଯେହେତୁ ତାଙ୍କ ବିରୋଧରେ ପ୍ରଥମ ମାମଲା ଦିଲ୍ଲୀରେ ରୁଜୁ ହୋଇଥିଲା, ସେଥିପାଇଁ ଅନ୍ୟ ସ୍ଥାନରେ ହୋଇଥିବା ଏଫଆଇଆରକୁ ଦିଲ୍ଲୀ ମାମଲା ସହ ଯୋଡିବାକୁ ଅନୁରୋଧ କରିଛନ୍ତି । ଗୋଟିଏ କୋର୍ଟରେ ସମସ୍ତ ମାମଲାର ଶୁଣାଣି ପାଇଁ ସେ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ଏହିପରି ଏକ ଆବେଦନ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ନୁପୁର । ଆବେଦନର ଶୁଣାଣି ସମୟରେ ନୁପୁରଙ୍କ ବିବାଦୀୟ ବୟାନ ପାଇଁ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ । ଦେଶରେ ଉପୁଜିଥିବା ହିଁସାତ୍ମକ ସ୍ଥିତି ପାଇଁ କେବଳ ନୁପୁର ଦାୟୀ ବୋଲି ସୁପ୍ରିମକୋର୍ଟର ଦୁଇ ବିଚାରପତି କହିଥିଲେ । ଏହି ଆବେଦନ ମଧ୍ୟ ଖାରଜ କରିବା ସହ ଦେଶବାସୀଙ୍କୁ କ୍ଷମା ମାଗିବା ପାଇଁ ପରାମର୍ଶ ଦେଇଥିଲେ ।

ସୂଚନାଥାଉକି, ଦୁଇ ମାସ ତଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ଏକ ଟିଭି ଡିବେଟ ଶୋ’ରେ ମୁସଲିମଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟର ଲୋକ ଆନ୍ଦୋଳନ କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ଏମିତିକି ନୁପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଦୁଇ ଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା  । ରାଜସ୍ଥାନ ଉଦୟପୁରର ଜଣେ ଟେଲରଙ୍କୁ ଦୋକାନରେ ପସି ଦୁଇଜଣ ମୁସଲିମ ଯୁବକ ଗଳା କାଟି ହତ୍ୟା କରିଥିଲେ ସେହିପରି ମହାରାଷ୍ଟ୍ରର ଅମରାବତୀରେ ଜଣେ ମେଡିସିନ ଦୋକାନୀଙ୍କୁ ବାଟରେ ଯିବା ସମୟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା ।