ଓଡ଼ିଶାରେ ବଢୁଛି ତମାଖୁ ସେବନକାରୀଙ୍କ ସଂଖ୍ୟା, ପୁରୁଷଙ୍କଠାରୁ ମହିଳା ଆଗରେ; ତଥ୍ୟ ଆସିବା ପରେ ସରକାରଙ୍କ ନିଦ ଭାଙ୍ଗିଲା

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ବଢୁଛି ତମାଖୁ ସେବନ । ଆଉ ଏହି କ୍ଷେତ୍ରରେ ପୁରୁଷଙ୍କଠାରୁ ମହିଳାଙ୍କ ସଂଖ୍ୟା ଅଧିକ । ଏ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଛି । ରିପୋର୍ଟ ପ୍ରକାଶ ପାଇବା ପରେ ସରକାରଙ୍କ ନିଦ ଭାଙ୍ଗିଛି । ସ୍ବାସ୍ଥ୍ୟ ସଚିବଙ୍କ କହିବା କଥା ଏଣିକି କୋଟପା ଆଇନକୁ କଡ଼ାକଡ଼ି ଅନୁପାଳନ ହେବ । ଏହାସହ ତମାଖୁ ବିଜ୍ଞାପନ ଓ ସ୍କୁଲ, କଲେଜରେ ଛାତ୍ରଛାତ୍ରୀ ଯେପରି କୌଣସି ପ୍ରକାର ତମାଖୁ ପଦାର୍ଥ ଗ୍ରହଣ ନ କରନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ କହିଛନ୍ତି ।

ତମାଖୁ ନେଉଛି ଜୀବନ । ଚାରିଆଡ଼େ ବୈଧାନିକ ସତର୍କତା । ହେଲେ ବ୍ୟବହାର କମିବା ପରିବର୍ତ୍ତେ ବଢ଼ୁଛି । ଓଡ଼ିଶାରେ ପୁରୁଷଙ୍କ ତୁଳନାରେ ମହିଳା ବ୍ୟବହାର କଲେଣି ଅଧିକ । ଏଭଳି ସାଂଘାତିକ ତଥ୍ୟ ଦେଇଛି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେକ୍ଷଣ ସଂସ୍ଥା ଏନଏଫଏଚଏସ ।

ଏନଏଫଏଚଏସର ପାଞ୍ଚ ନମ୍ବର ରିପୋର୍ଟ ଅନୁଯାୟୀ ପୁରୁଷଙ୍କ ତୁଳନାରେ ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି । ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ଏନଏଫଏଚଏସର ୪ ନମ୍ବର ରିପୋର୍ଟରେ ରାଜ୍ୟର ୫୫.୯ ପ୍ରତିଶତ ପୁରୁଷ ତମାଖୁ ସେବନ କରୁଥିଲେ । ସଦ୍ୟତମ ରିପୋର୍ଟରେ ଏହା ହ୍ରାସ ପାଇ ୫୧.୬ ପ୍ରତିଶତ ହୋଇଛି । ହେଲେ ମହିଳାଙ୍କ ସଂଖ୍ୟା ୪ ନମ୍ବର ରିପୋର୍ଟରେ ଥିଲା ୧୭.୩ ପ୍ରତିଶତ । ଯାହା ଏବେ ୮.୭ ପ୍ରତିଶତ ବଢି ୨୬ ପ୍ରତିଶତ ହୋଇଛି । ରିପୋର୍ଟ ଦେଖିବା ପରେ ସ୍ବାସ୍ଥ୍ୟ ବିଭାଗ କହିଛି ସିଗାରେଟ ଓ ତମାଖୁ ଉତ୍ପାଦନ ନିୟନ୍ତ୍ରଣ ଆଇନ ବା କୋଟପାକୁ କଡ଼ାକଡ଼ି ପାଳନ କରାଯିବ । ତମାଖୁ ବର୍ଜନ ପାଇଁ ପ୍ରଥମେ ବିଜ୍ଞାପନ ଉପରେ ଅଂକୁଶ ଲଗାଇବାକୁ ସ୍ବାସ୍ଥ୍ୟ ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିବ । ନିୟମକୁ ଫୁ କରି ଗଳାବାଟ ଦେଇ ଯେପରି ତମାଖୁ ପ୍ରସ୍ତୁତକାରୀ କମ୍ପାନୀ ଖସି ନଯିବେ ସେ ନେଇ ମିଳିତ ଭାବେ ଅବକାରୀ, ସ୍ବାସ୍ଥ୍ୟ, ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେବେ ବୋଲି ସରକାରଙ୍କ ତରଫରୁ କୁହାଯାଇଛି ।

ଆଜି ବିଶ୍ବ ତମାଖୁ ବର୍ଜନ ଦିବସ । ବଜାରରେ ବୈଧାନିକ ସତର୍କତା ଥାଇ ୨ରୁ ୫ ଟଙ୍କାରେ ମିଳୁଛି ବିଷ । ତମାଖୁ ବର୍ଜନ ଦିବସରେ ରିବନ୍‌ ଓ ଭାଷଣରେ କାମ ସାରି ଦେଉଛନ୍ତି ସରକାର । ସରକାରଙ୍କ ତମାଖୁ ଓ ନିଶା ନିବାରଣ ନେଇ ମାଳମାଳ ଆକ୍ସନ ପ୍ଲାନ୍‌ ବର୍ଷ ତମାମ ଦେଖା ମିଳେନି । କେବଳ ସ୍ବତନ୍ତ୍ର ଦିବସ ଆସିଲେ ମନେପଡ଼େ । ରାଜ୍ୟରେ ମହିଳାମାନେ ଅଧିକ ତମାଖୁ ସେବନ କରୁଥିବାରୁ ଗର୍ଭଧାରଣରେ ମଧ୍ୟ ନାନାଦି ଅସୁବିଧା ସୃଷ୍ଟି ହେଉଛି ।

ଓଡ଼ିଶାରେ ଖଇନି ଓ ତମାଖୁ ସେବନ ବେଧଡ଼କ ଭାବେ ଚାଲିଛି । ୧୬.୯ ପ୍ରତିଶତ ସାବାଳକ ଖଇନି ଓ ୧୪.୯ ପ୍ରତିଶତ ସାବାଳକ ତମାଖୁ ସେବନ କରୁଛନ୍ତି । ହେଲେ ସେମାନଙ୍କୁ ଜଗୁଛି କିଏ ? ତମାଖୁ ସେବନ ଦ୍ୱାରା କର୍କଟ, ହୃଦଘାତ, ଯକ୍ଷ୍ମା, ଫୁସଫୁସ ରୋଗ ବୃଦ୍ଧି ପାଉଛି । ପୁରୁଷଙ୍କ ନପୁଂସକତା, ପ୍ରଜନନ ଶକ୍ତି ହ୍ରାସ ସମେତ ଅକାଳ ବାର୍ଦ୍ଧକ୍ୟ ପରି ରୋଗ ହେଉଛି ।