ବୋଲ ମାନୁନି ଡେଙ୍ଗୁ, ଜିଲ୍ଲା ପରେ ଜିଲ୍ଲା ମାଡି ଚାଲିଛି

ଭୁବନେଶ୍ବର: ରାଜ୍ୟରେ ଟେନସନ ବଢ଼ାଉଛି ଡେଙ୍ଗୁ ଓ ଝାଡାବାନ୍ତି । ସୁନ୍ଦରଗଡ଼ରେ ବଢୁ ଚାଲିଛି ପଜିଟିଭ୍ ସଂଖ୍ୟା । ମାମଲା ବଢୁଥିବାରୁ ଆଗୁଆ ସଜାଗ ସ୍ବାସ୍ଥ୍ୟ ବିଭାଗ । ଆଲର୍ଟରେ ରାପିଡ ରେସପନ୍ସ ଟିମ୍ । ଅନ୍ୟପଟେ ଦୂଷିତ ଜଳ ଓ ଭୋଜି ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଇଛି । ଯାହାକୁ ନିୟନ୍ତ୍ରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପଦକ୍ଷେପ ନେଉଛି ।

ସୁନ୍ଦରଗଡ଼ରେ ବୋଲ ମାନୁନି ଡେଙ୍ଗୁ । ରାଜ୍ୟରେ ଏଯାଏଁ ଚିହ୍ନଟ ହେଲେଣି ୩ ହଜାର ୨୯୩ ଡେଙ୍ଗୁ ରୋଗୀ । ପରୀକ୍ଷା ହୋଇଛି ମୋଟ ୭୭ ହଜାର ୨୬୭ ନମୁନା । ଗତକାଲି ୧୮୬ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୯୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରେ ୭୭୮ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଓ ଖୋର୍ଦ୍ଧା ସମେତ ରାଜ୍ୟର ମୋଟ ୭ଟି ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ପାର କରିଛି । କଟକରେ ୧୯୯, ବାଲେଶ୍ୱରରେ ୧୫୯, ମୟୂରଭଞ୍ଜରେ ୧୨୭, ବଲାଙ୍ଗୀରରେ ୧୧୦, ଭଦ୍ରକରେ ୧୧୪ ରୋଗୀ ଚିହ୍ନଟ ହୋଇଛନ୍ତି । ରାଉରକେଲାରେ ଡେଙ୍ଗୁ ସ୍ଥିତି ଚିନ୍ତାଜନକ ଥିବାରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ରାଉରକେଲାରେ ରହି କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି । ଷ୍ଟିଲ ଅଥରିଟି ଅଞ୍ଚଳରେ ଡେଙ୍ଗୁ ବଢୁଥିବାରୁ ଏହି ଅଞ୍ଚଳ ଉପରେ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ । କିପରି ଏହି ଅଞ୍ଚଳରେ ଡେଙ୍ଗୁକୁ ନିୟନ୍ତ୍ରଣ କରାଯିବ ସେ ନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଗୋଟିଏ ପଟେ ଡେଙ୍ଗୁ ବ୍ୟାପୁଥିବା ବେଳେ, ଅନ୍ୟପଟେ ଚିନ୍ତା ବଢ଼ାଇଛି ଝାଡ଼ାବାନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରୁ ଅଧିକ ଆସୁଛି ଝାଡାବାନ୍ତି ମାମଲା । ଦୂଷିତ ଜଳ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ବୋଲି କୁହାଯାଉଥିବା ବେଳେ, ଭୋଜି ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ଭୋଜିରେ କିଭଳି ଭଲ ଭାବେ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ତା’ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ପାଣିକୁ ବିଶୋଧନ କରି ପିଇବା ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯାଉଛି । ଝାଡ଼ାବାନ୍ତି ବ୍ୟାପୁଥିବାରୁ ରାପିଡ ରେସପନ୍ସ ଟିମକୁ ଆଲର୍ଟ ରଖାଯାଇଛି । ବିଭିନ୍ନ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ବର୍ଷା ଦିନେ ସାଧାରଣତଃ ଝାଡାବାନ୍ତି ଓ ଡେଙ୍ଗୁ ବ୍ୟାପୁଥିବାରୁ ଫିଲ୍ଡ ଅଫିସର ସଜାଗ ରହିଛନ୍ତି । ପ୍ରତିଦିନ ସ୍ୱାସ୍ଥ୍ୟ ବିଭାଗ ଏସବୁକୁ ତଦାରଖ କରୁଛନ୍ତି । ରାଜ୍ୟରେ ମଶା ସ୍ଥିତିକୁ ଆଖି ଆଗରେ ରଖି ଖୁବଶୀଘ୍ର ଔଷଧୀୟ ମଶାରୀ ଲୋକଙ୍କୁ ବଣ୍ଟାଯିବ ବୋଲି କୁହାଯାଇଛି ।