ରାଜ୍ୟରେ ପ୍ରତିଦିନ ବଢୁଛି କରୋନା ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଲା
1 min read
ନନ୍ଦିଘୋଷ ବ୍ୟୁରୋ: ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବା ସହ ରାଜ୍ୟରେ ବି ପ୍ରତିଦିନ ମାମଲା ବଢିବାରେ ଲାଗିଛି । ନୂଆ ଭାରିଆଣ୍ଟର ଭୟାବହତା ସେତେଟା ନଥିଲେ ବି ସରକାରଙ୍କ ନିଦ ହଜାଇ ଦେଇଛି ଦୈନିକ ମାମଲା । ଏଯାଏଁ ଓଡ଼ିଶାରେ ୮ ଜଣ କୋଭିଡ ରୋଗୀ ଚିହ୍ନଟ କରାଯାଇଛି । ଏମାନଙ୍କ ଭିତରୁ ଜଣଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି । ସେପଟେ କେନ୍ଦ୍ର ଏଯାଏଁ କୌଣସି ମାର୍ଗଦର୍ଶିକା ଦେଇ ନଥିଲେ ବି ମନିଟରିଂ କରିବାକୁ ରାଜ୍ୟମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।
ଓଡ଼ିଶାରେ କୋଭିଡ ମାମଲା ବଢୁ ନଥିବା ଘୋଷି ହେଉଥିବା ରାଜ୍ୟ ସରକାରଙ୍କୁ ଲାଗିଛି ବଡ଼ ଝଟକା । ପ୍ରତିଦିନ ବାହାରୁଛନ୍ତି କୋଭିଡ ରୋଗୀ । ଆଜି ବି ଦୁଇ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ବେଳେ ରୋଗୀ ସଂଖ୍ୟା ୮ରେ ପହଞ୍ଚିଛି । ଏମାନଙ୍କ ଭିତରୁ ଜଣେ ଆଣ୍ଟିଜେନ ଟେଷ୍ଟିଂରୁ କୋଭିଡ ଚିହ୍ନଟ ହୋଇଛନ୍ତି । ତାଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣେ ରାଜ୍ୟରେ ବ୍ୟବହାର ହେଉଥିବା ଆଣ୍ଟିଜେନ କିଟ୍ ଠିକ୍ ଭାବ କାମ କରୁଥିବା ନେଇ ଆରଏମଆରସି ରିପୋର୍ଟ କରିଛି । ଯେଉଁଥି ପାଇଁ ଅଷ୍ଟମ ରୋଗୀଙ୍କ ଆରଟିପିସିଆର ରିପୋର୍ଟ କୋଭିଡ ପଜିଟିଭ ବାହାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶଂକା ପ୍ରକାଶ କରିଛି । ଏଯାଏଁ ଚିହ୍ନଟ ହୋଇଥିବା ୮ ରୋଗୀଙ୍କ ମଧ୍ୟରୁ ୬ ଜଣ ଖୋର୍ଦ୍ଧା ଜିଲ୍ଲାର ହୋଇଥିବାବେଳେ ବାକି ଦୁଇ ଜଣ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ସେପଟେ ଦେଶରେ ବି ବଢି ଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ରେ ପହଞ୍ଚିଛି । କେରଳରେ ସର୍ବାଧିକ ୧୧୪୭, ମହାରାଷ୍ଟ୍ର ୪୨୪, ଦିଲ୍ଲୀରେ ୨୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କୋରୋନାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ଦେଶରେ ୫୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକଙ୍କୁ ଭୟଭୀତ ନ କରିବାକୁ କେନ୍ଦ୍ର ସରକାର ଏଯାଏଁ କୌଣସି ମାର୍ଗଦର୍ଶିକା ସିନା ଜାରି କରୁ ନାହାନ୍ତି, ହେଲେ ରାଜ୍ୟମାନଙ୍କୁ ମନିଟରିଂ କରିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
IDSP ସେଲ୍ କୋଭିଡ ମନିଟରିଂ କରୁଛି । ସଜାଗ ଓ ସତର୍କ ରହି ଦୂରେଇ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ମାର୍ଗଦର୍ଶିକା ନ ଦେଇଥବା ସତ୍ତ୍ବେ ଉଭୟ ଆରଟିପିସିଆର ଓ ଆଣ୍ଟିଜେନ କିଟ ବିପୁଳ ମାତ୍ରାରେ ମଗାଇଥିଲେ ରାଜ୍ୟ ସରକାର । ସେପଟେ କେନ୍ଦ୍ରରୁ ବି ପର୍ଯ୍ୟାପ୍ତ ଟେଷ୍ଟିଂ କିଟ ପହଞ୍ଚି ସାରିଲାଣି ।
ଦକ୍ଷିଣ ଭାରତରେ କୋଭିଡ ମହାମାରୀର ରୂପ ନେବାକୁ ଯାଉଛି । କାରଣ ଦେଶର ୪୦ ପ୍ରତିଶତରୁ ଅଧିକ ମାମଲା କେବଳ କେରଳରୁ ଆସୁଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟ କୋଭିଡ ହଟସ୍ପଟ ପାଲଟି ଗଲେଣି । ଆନ୍ଧ୍ର ପ୍ରଦେଶରେ ରୋଗୀ ସଂଖ୍ୟା ବଢୁଥିବାରୁ କିଛି ଦିନ ତଳେ ନିଜ ଆଡ଼ୁ ମାର୍ଗଦର୍ଶିକା ଜାରି କରିଥିଲେ ଆନ୍ଧ୍ର ସରକାର । ଓଡ଼ିଶା ଆନ୍ଧ୍ରର ପଡ଼ୋଶୀ ରାଜ୍ୟ ହୋଇଥିବାରୁ, ରାଜ୍ୟରେ କୋଭିଡ ଭୟ ବଢିଛି ।