‘ନିର୍ଭୟ‘ର ସଫଳ ପରୀକ୍ଷଣ, ଶତ୍ରୁ ଶିବିରରୁ ପଠାଇବ ତଥ୍ୟ

1 min read

ବାଲେଶ୍ବର:  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚ ପ୍ୟାଡ଼ରୁ ଆଜି ପରୀକ୍ଷା କରାଯାଇଛି ସବ୍‌-ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ । ମଧ୍ୟାହ୍ନ 2 ଟା 25 ମିନିଟ୍ ସମୟରେ ଏହି କ୍ଷେପଣାସ୍ତ୍ରକୁ ଡ଼େଭଲପ୍‌ମେଣ୍ଟ ପରୀକ୍ଷା କରାଯାଇଛି । ତଥ୍ୟ ସଂଗ୍ରହ ପାଇଁ ଖଞ୍ଜା ଯାଇଥିବା ରାଡ଼ାରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ନିର୍ଭୟ ମିସାଇଲକୁ ଆଜି 750ରୁ 1 ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ପରୀକ୍ଷା କରାଯାଇଛି ।

ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିବାବେଳେ ଆଜିର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ୍‌ ସର୍ଟ ଟୋର୍ବୋଫ୍ୟାନ୍‌ ବା ମାନିକ୍‌ ଇଞ୍ଜିନ୍‌ର ବ୍ୟବହାର କରାଯାଇଛି । ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇପାରିବ ବୋଲି କୁହାଯାଉଛି । ଡ଼ିଆରଡ଼ିଓର ଏରୋନୋଟିକାଲ ଡ଼େଭଲମେଣ୍ଟାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଦ୍ବାରା ପ୍ରସ୍ତୁତ ନିର୍ଭୟ କ୍ଷେପଣାସ୍ତ୍ରର ଓଜନ 1500 କିଲୋଗ୍ରାମ ଥିବାବେଳେ ଏହାର ଲମ୍ବ 6 ମିଟର ଓ ମୋଟେଇ 0.5 ମିଟର ।

ଏଥିରେ 2ଶହରୁ 3ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହି ମିସାଇଲର ଡ଼େଣାର ଲମ୍ବ 2.7 ମିଟର ଥିବାରୁ ଏହା ଭୂପୃଷ୍ଠରୁ 50 ମିଟରରୁ 4 କିଲୋମିଟର ଉଚ୍ଚତ୍ତାରେ ଏୟାରକ୍ରାଫ୍ଟ ଭଳି ଶତ୍ରୁ ଶିବିର ଚାରିପାଖରେ ଉଡ଼ାଣକରି କଣ୍ଟ୍ରୋଲ ରୁମ୍‌କୁ ଫଟୋ ଓ ଭିଡ଼ଓ ପଠାଇ ପାରିବାର କ୍ଷମତା ରହିଛି । ନିର୍ଭୟକୁ ଅଷ୍ଟମ ଥର ପାଇଁ ଗତ ଜୁନ୍‌ମାସ 24 ତାରିଖରେ ସଫଳତାର ସହିତ ପରୀକ୍ଷା କରାଯାଇଥିଲା ।

Leave a Reply