ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ହଡ଼ପ !

ନୂଆପଡା : ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ହଡ଼ପ । ଖଡ଼ିଆଳ ବ୍ଲକ ନରସିଂହପୁର ଗାଁରୁ ଆସିଛି ସାଂଘାତିକ ଅଭିଯୋଗ। ବିଭିନ୍ନ କାମରେ ଶ୍ରମିକ ଭାବେ ନିୟୋଜିତ ହୋଇ ଜୀବିକା ନିର୍ବାହ କରନ୍ତି ବିଷ୍ଣୁ ପ୍ରସାଦ ବାଗ । ୨୦୧୬ରେ ସେ ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ ପଞ୍ଜୀକରଣ କରିଥିଲେ । ୨୦୧୯ ରେ ପଞ୍ଜୀକରଣର ନବୀକରଣ ପାଇଁ ଜିଲା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ତାଙ୍କ ମୃତ୍ୟୁ ହୋଇସାରିଛି ଓ ତାଙ୍କ ନାମରେ ମୃତ୍ୟୁକାଳୀନ ସହାୟତା ଯାଇ ସାରିଥିବା ଜାଣିବାକୁ ପାଇଥିଲେ ବିଷ୍ଣୁ। କିଛି ଭୁଲ ହୋଇଥାଇ ପାରେ ବୋଲି କହି ପଞ୍ଜୀକରଣର ନବୀକରଣ କରିବାକୁ ସେ ଅନୁରୋଧ କରିଥିଲେ ବି ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ କାର୍ଡ ନବୀକରଣ ପାଇଁ ମନା କରିଦେଇଥିବା ଅଭିଯୋଗ ହୋଇଛି ।
ସରକାରୀ ଫାଇଲରେ ନିଜ ମୃତ୍ୟୁ ଘଟଣାକୁ ନେଇ ବିଷ୍ଣୁ ଦୀର୍ଘ ୬ବର୍ଷ ହେବ ଶ୍ରମ ବିଭାଗ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଫଳ ଶୂନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଶହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶ୍ରମିକ। ଶ୍ରମିକ ବଞ୍ଚି ଥାଉ ଥାଉ ତାଙ୍କୁ କିଭଳି ସରକାରୀ ଫାଇଲରେ ମୃତ ଘୋଷଣା କରାଗଲା ? ଏହି ଚଞ୍ଚକତା ପଛରେ କାହାର ହାତ ? ମୃତ୍ୟୁକାଳୀନ ସହାୟତା କିଏ ହଡ଼ପ କରିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଶ୍ରମିକଙ୍କ ମନରେ ଛିଡା ହୋଇଛି । ଏପଟେ ଜିଲ୍ଲା ଶ୍ରମ ଅଧିକାରୀ କଂପ୍ୟୁଟର ରେ କିଛି ତୃଟି ଥିବା ଅନୁମାନ କରିଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଣ୍ଣୁ ଆରଟିଆଇରେ ତଥ୍ୟ ମାଗିଥିବା ବେଳେ ଶ୍ରମ ବିଭାଗ ତଥ୍ୟ ଦେଉନଥିବା ଅଭିଯୋଗ ହୋଇଛି । ଶ୍ରମ ବିଭାଗ ଜାଣିଶୁଣି ନୀରବତା ଅବଲମ୍ବନ କରି ଦୋଷ ଲୁଚାଇବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏପରି ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।