କଲରାପତରିଆକୁ ଟ୍ରାପ କଲାପରେ ମଧ୍ୟ ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ାରେ ନିଦ ହଜାଇଛି ବାଘ ଆତଙ୍କ। ଗୋଟେ କଲରାପତରିଆକୁ ଟ୍ରାପ କରାଯାଇଛି। ହେଲେ ଭୟ ଟଳିନି । କାରଣ ଏବେ ବି ଆଉ ଏକ ବାଘ ବୁଲୁଥିବା ଖବର ମିଳିଛି । ବାଘର ଗତିବିଧି ସଂପର୍କରେ ମନିଟର କରୁଛି ବନ ବିଭାଗ। ଅନ୍ୟପଟେ ଟ୍ରାପ ହୋଇଥିବା କଲରାପତରିଆ କାହିଁକି ମଣିଷଖିଆ ପାଲଟିଲା, ତାକୁ ନେଇ ସ୍ବତନ୍ତ୍ର ଟିମ୍ ରିସର୍ଚ୍ଚ ଚଳାଇଛି । ସେପଟେ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ପରିବାର ଲୋକଙ୍କୁ ୧୫ଦିନ ଭିତରେ କ୍ଷତିପୂରଣ ମିଳିବ ବୋଲି ପିସିସିଏଫ୍ ବନ୍ୟପ୍ରାଣୀ କହିଛନ୍ତି।

ନୂଆପଡ଼ାରେ ଥମୁନି ବାଘ ଆତଙ୍କ। କିଛି ମାସର ବ୍ରେକ ପରେ ଏବେ ପୁଣି ଘାରିଛି ବାଘ ଭୟ। କିଛି ଦିନ ତଳେ ଦୁଇ ଜଣଙ୍କୁ ଜୀବନରୁ ମାରି ଦେଇଥିଲା କଲରାପତରିଆ। ତାପରେ ମଣିଷଖିଆକୁ ଟ୍ରାପ୍ କରିଛି ବନ ବିଭାଗ। ହେଲେ ତଥାପି ସରିନି ଆତଙ୍କ। ଗୋଟିଏ ବାଘ କାବୁ ହୋଇଥିବା ବେଳେ ଆଉ ଏକ କଲରାପତରିଆ ବାଘ ବୁଲୁଥିବା କହିଛନ୍ତି ଗାଁଲୋକେ। ବାଘ ଭୟରେ ଆଖପାଖ ଗାଁରେ ତାଟି କବାଟ ପଡିଗଲାଣି । ଗତ ତିନି ଦିନ ହେଲା ବାଘକୁ ନେଇ ଜାରି ରହିଛି ସସପେନସ୍ । ହେଲେ ଏଯାଏଁ ତା ଗତିବିଧି ନେଇ ଖବର ଆସିନି। ବନ ବିଭାଗ ବାଘକୁ ଠାବ କରିବାକୁ କ୍ୟାମେରା ଲଗାଇଛି  ।

ସେପଟେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା କୋଦୋପାଲି ଗାଁରୁ ବନବିଭାଗ କଲରାପତରିଆ ବାଘକୁ ଯନ୍ତା ପକାଇ ଧରିବା ପରେ ନିଜ କାର୍ଯ୍ୟାଳୟ ପରିସରରେ ଏକାନ୍ତରେ ରଖିଛି । ବାଘ ସୁସ୍ଥ ଅଛି। ହେଲେ ତାର ମଣିଷଖିଆ ସ୍ବଭାବ ନେଇ ସନ୍ଦେହରେ ବନ ବିଭାଗ। ବାଘର ବ୍ୟବହାର ଯାଞ୍ଚ କରିବାକୁ ୪ଜଣିଆ ଟିମ୍ ନୂଆପଡ଼ା ଯାଇଛନ୍ତି। ଏଥିରେ କଲରାପତରିଆ ବାଘ ସମ୍ପର୍କରେ ଜାଣିଥିବା ଜଣେ ବିଶେଷଜ୍ଞଙ୍କୁ ବି ସମ୍ବଲପୁରରୁ ପଠାଯାଇଛି। ସେହିପରି ଦେବ୍ରିଗଡ଼ ଡିଏଫଓ ଏବଂ ଭେଟେନାରୀ ଟିମ୍ ମଧ୍ୟ ବାଘର ବ୍ୟବହାରକୁ ଯାଞ୍ଚ କରୁଛନ୍ତି।