୭ ବର୍ଷର ପୁଅକୁ ବାଘ ଝାମ୍ପି ନେଇଥିବା ଅଭିଯୋଗ

ନୂଆପଡ଼ା: ନାବାଳକକୁ ଝାମ୍ପିନେଲା ବାଘ। ନୂଆପଡ଼ା ଜିଲ୍ଲା ଧରମ ବନ୍ଧା ଥାନା କଟିଙ୍ଗପାଣି ଗାଁରେ ୭ବର୍ଷୀୟ ନାବାଳକକୁ କଲରାପତରିଆ ବାଘ ଝାମ୍ପି ନେଇଥିବା ଅଭିଯୋଗ । ହୁମନ୍ ଧାରୁଆଙ୍କ ପୁଅକୁ ବାଘଟି ଟାଣି ନେଇ ଗୁମ୍ଫା ଭିତରକୁ ଚାଲିଯାଇଥିଲା । ସନ୍ଧ୍ୟାରେ ପୁଅ ଖେଳୁଥିବାବେଳେ କଲରାପତରିଆ ବାଘ ତାକୁ ଟାଣିନେଇ ଗାଁଠାରୁ ୨୦୦ ମିଟର ଦୂରରେ ଥିବା ଏକ ଗୁମ୍ଫାରେ ପଶିଯାଇଥିଲା । ପରେ ଗୁମ୍ଫାରୁ ନାବାଳକର ମୃତଦେହ ଉଦ୍ଧାର କରିଛନ୍ତି ଗାଁ ଲୋକ। ଗାଁରେ ଉତ୍ତେଜନା ଲାଗି ରହିଥିବାବେଳେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । ସୁନାବେଡ଼ା ଅଭୟାରଣ୍ୟ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଜାରି ରହିଛି । ବହୁ ଗୃହପାଳିତ ପଶୁ ସହ ୩ ଜଣ ମଣିଷଙ୍କୁ ମଧ୍ୟ ଶିକାର କରିଛି । ପୁର୍ବରୁ ହଳଦୀ ଗାଁରେ ପ୍ରଥମେ ନାବାଳକକୁ ମାଆ କୋଳରୁ ବାଘ ଟାଣି ନେଇଥିଲା । ପରେ ସୁନାବେଡ଼ାର ଜଳ ମଡେଇ ଗାଁରୁ ଜଣେ ବୃଦ୍ଧାକୁ ଝାମ୍ପି ନେଇ ହତ୍ୟା କରିଥିଲା । ଏବେ ପୁଣି ୭ ବର୍ଷର ବାଳକକୁ ହତ୍ୟା କରିଛି ବାଘ । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ  ଦେଖାଦେଇଛି।