ନୂଆପଡା ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳକୁ ଘାରିଲାଣି ପ୍ରାର୍ଥୀ ଚିନ୍ତା

ଭୁବନେଶ୍ବର : ସରିଲା ପୂଜା, ବଢିଲା ତାତି । ଆରମ୍ଭ ହେଲା ପ୍ରାର୍ଥୀ ଚୟନ କସରତ । ବିଜୟ ମୁକୁଟ ପିନ୍ଧିବାକୁ ସବୁ ଦଳର ଦମ୍ଭୋକ୍ତି ।.. ..ପୂଜା ସରୁ ସରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳକୁ ଘାରିଲାଣି ନୂଆପଡା ଚିନ୍ତା । ଉପନିର୍ବାଚନର ପ୍ରଥମ ଅଗ୍ନିପରୀକ୍ଷାରେ ପାସ କରିବାକୁ ପ୍ରାର୍ଥୀ  ଚୟନ କସରତ ଆରମ୍ଭ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ସବୁ ଦଳ ଏକ ରକମର ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟକୁ ନେଇଛନ୍ତି । କାହାକୁ ପ୍ରାର୍ଥୀ କଲେ ଦଳ  ବିଜୟ ମୁକୁଟ ପିନ୍ଧିବ ସେନେଇ ଦଳର ମଙ୍ଗୁଆଳମାନେ ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନୂଆପଡାରେ ବିଜେଡି ବିଜୟୀ ହୋଇଥିଲା । ଉପନିର୍ବାଚନରେ ମଧ୍ୟ ନୂଆପଡାବାସୀ ବିଜେଡିକୁ ଆର୍ଶୀବାଦ କରିବେ । ୨୦୨୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜେଡି ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ତାଙ୍କୁ ୬୧ ହଜାର ୮୨୨ ଖଣ୍ଡ ଭୋଟ ମିଳିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ଉପନିର୍ବାଚନ ହେଉଥିବାରୁ ବିଜେଡି ପୁଣି ବିଜୟ କରିବ ବୋଲି ଦଳ କହିଛି । ତେଣୁ ଯିଏ ଯାହା ରଣନୀତି କରୁ ନୂଆପଡାବାସୀ ବିଜେଡି ସହ ରହିବେ ବୋଲି ଦଳ କହିଛି ।

ନୂଆପଡା ଉପନିର୍ବାଚନ ଦୁଇ ଜାତୀୟ ଦଳ ପାଇଁ ଏସିଡ ଟେଷ୍ଟ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବିଜେପି ପ୍ରାର୍ଥୀ କରାଯିବ । ଓଡ଼ିଶା ସହ କେନ୍ଦ୍ରୀୟ ଟିମ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି । ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ। ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ୨୦୨୪ ନିର୍ବାଚନରେ ନୂଆପଡାରେ କଂଗ୍ରେସ ଭୁଲ ପ୍ରାର୍ଥୀ ଚୟନ କରିଥିଲା । ଏଥର ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିବ ନେଇ ନିଷ୍ପତ୍ତି ନିଆଯାଉଛି । ନୂଆପଡାରେ ପଦଯାତ୍ରା କରି ପିସିସି ସଭାପତି ଏକ ରକମର ପ୍ରଚାର କରିବାକୁ ସଜବାଜ ଆରମ୍ଭ କରିଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିଲା । ତେଣୁ ଏଥର ଦୁଇ ଜାତୀୟ ଦଳ ପାଇଁ କିପରି ବିଜେଡି ଗଡରେ ଧସେଇ ପଶିବେ ସେ ନେଇ ଘନଘନ ରଣନୀତି କରୁଛନ୍ତି । ତେବେ କିଏ କାହାକୁ ନୂଆପଡା ପାଇଁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ରହିଛି ସଭିଁଙ୍କ ନଜର।