ଗାଡି ଭଡା ନେଇ ଲୁଟୁଥିଲେ, ନକଲିଙ୍କୁ ବାନ୍ଧିଲା ଅସଲି ପୋଲିସ

ନୂଆପଡା: ନକଲି ପୋଲିସକୁ ବାନ୍ଧିଲା ପୋଲିସ । ତିନି ଲୁଟେରାଙ୍କୁ କାବୁ କରିବା ପରେ ପୂରା ଘଟଣା ସାମନାକୁ ଆସିଛି । ଖବର ଅନୁସାରେ ଗିରଫ ତିନି ଜଣ ନୂଆଁପଡ଼ା ଜିଲ୍ଲାରୁ ଭଡ଼ା ସୂତ୍ରରେ ଏକ ବୋଲେରୋ ଯୋଗେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗାଁକୁ ଆସିଥିଲେ । ତେବେ ମୁରିବାହାଲ ଗାଁର ଏକ ନିଛାଟିଆ ଜାଗାରେ ବୋଲେରୋ ମାଲିକଙ୍କୁ ଧମକ ଦେଇ ଗାଡ଼ି ଲୁଟିବା ପାଇଁ ଉଦ୍ୟମ କରିଥିଲେ ।

କିନ୍ତୁ ଏଥିରେ ବିଫଳ ହୋଇ ଧରା ପଡ଼ିଥିଲେ ୩ ଜଣ ଲୁଟେରା । ଦୁର୍ବୃତ୍ତମାନଙ୍କୁ ମୁରିବାହାଲ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କଲା । କିନ୍ତୁ ପୋଲିସ ତଦନ୍ତରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ ପରି ଅନେକ କଥା ସାମନାକୁ ଆସିଥିଲା । ଦୁର୍ବୃତ୍ତଙ୍କ ବ୍ୟାଗରୁ ବାହାରିଥିଲା ପୋଲିସକୁ ଚକ୍କମା ଦେଲା ଭଳି ସାମଗ୍ରୀ । ଲୁଟେରାଙ୍କ ବ୍ୟାଗରୁ ଭୁବନେଶ୍ୱର ସ୍ପେଶାଲ୍ ବ୍ରାଞ୍ଚ ଆଇଜି ରାଙ୍କର ପୋଲିସ ପୋଷାକ, ୭ଟି ମୋବାଇଲ, ବ୍ୟାଙ୍କ୍ ଚେକ୍, ପାସବୁକ୍, ଏଟିମ୍ କାର୍ଡ, ଏବଂ ଧାରୁଆ ଖିଅର ହେବା ଖୁରା ସହ ଅନ୍ୟନ୍ୟ ଜିନିଷ ବାହାରିଲା । ଶେଷରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ମୁରିବାହାଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୁରିବାହାଲ ଥାନା ବଡଉଡ଼ାର ଗାଁର ଅମର ଦାସ, ବରଗଡ଼ ଜିଲ୍ଲା ସନରାପାଲି ଗାଁର ଓକିଲ କୁମ୍ଭାର ଏବଂ ଉତ୍ତର ପ୍ରଦେଶ ମୌଉ ଜିଲ୍ଲା ରାଣୀପୁର ଥାନାର ଶିବୁ କାଉଁନଜିଆ ।

ଏନେଇ ଆଜି ମୁରିବାହାଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ । ସାମ୍ବାଦିକ ସମ୍ମିଳନୀ ପରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ମୁରିବାହାଲ ପୋଲିସ ।