spot_img

Latest Posts

ନୂଆପଡାର ବିକାଶରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବହୁତ ଅବଦାନ ରହିଛି : ନବୀନ

ନୂଆପଡ଼ା : ପୂର୍ବତନ ମନ୍ତ୍ରୀ ଓ ନୂଆପଡ଼ାର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗଭୀର ଶ୍ରଦ୍ଧାଞ୍ଜଳି। ଢୋଲକିଆଙ୍କ ପାଇଁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ନବୀନ ପଟ୍ଟନାୟକ କହିଛନ୍ତି, ନୂଆପଡାର ବିକାଶରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ବହୁତ ଅବଦାନ ରହିଛି। ତାଙ୍କର  ନିଷ୍ଠା, ପ୍ରତିବଦ୍ଧତା ଓ  କଠିନ ପରିଶ୍ରମ ପାଇଁ ସେ ସବୁଦିନ ମନେ ରହିବେ। ଶାନ୍ତ, ସରଳ, ନିରହଂକାର ଗୁଣ ପାଇଁ ସମସ୍ତଙ୍କ ପ୍ରିୟ ଥିଲେ ରାଜେନ୍ଦ୍ର। ଢୋଲକିଆ ବାବୁଙ୍କ ଅଧୁରା କାମକୁ ପୁରା କରିବାକୁ ତାଙ୍କ ପରିବାର ସହ ବିଜୁ ଜନତା ଦଳ ଓ ସେ ନିଜେ ସମସ୍ତେ ଏକାଠି କାମ କରିବେ ବୋଲି ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଛନ୍ତି। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳର ଗୋଟେ ସ୍ତମ୍ଭ ଥିଲେ। ଦଳକୁ ମଜଭୁତ କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ସେ ସବୁବେଳେ ଲୋକଙ୍କ ସହ ଯୋଡି ହୋଇ ରହିଥିଲେ। ସାଧାରଣ ଲୋକଙ୍କ ସହ ସ୍ବର୍ଗତ ଢୋଲକିଆଙ୍କ ସମ୍ପର୍କ ବିଷୟ ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ। ସେ ବହୁବାର ବିଧାୟକ ହୋଇଛନ୍ତି, ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ତୃଣମୂଳ ସ୍ତରରେରେ ସବୁବେଳେ ଯୋଡ଼ି ହୋଇ ରହୁଥିଲେ। ନୂଆପଡ଼ାର ବିକାଶରେ ସ୍ବର୍ଗତ ଢୋଲକିଆଙ୍କ ଅବଦାନ ବିଷୟରେ ସ୍ମରଣ କରାଇ ବିରୋଧୀ ଦଳ ନେତା କହିଛନ୍ତି, ଭିତ୍ତିଭୂମି ବିକାଶ, ବିଶେଷ କରି ନୂଆପଡ଼ାରେ ବିଜୁ ଏକ୍ସପ୍ରେସ ୱେ, ପିଇବା ପାଣି ଓ ଜଳସେଚନ କ୍ଷେତ୍ରରେ ଢୋଲକିଆ ବହୁତ ଭଲ କାମ କରିଛନ୍ତି।ଜନଜାତି ଭାଇ ଭଉଣୀଙ୍କ କଲ୍ୟାଣ ସହ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଢୋଲକିଆ ବାବୁଙ୍କର ବହୁତ ଅବଦାନ ରହିଛି। ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ପରିଚୟ ଥିଲା। ଗରିବ ଲୋକଙ୍କ ବିବାହ, ଚକ୍ଷୁ ଚିକିତ୍ସା ଶିବିର, ଭିନ୍ନକ୍ଷମ ଶିବିର ଆୟୋଜନ କରି ସେ ଲୋକଙ୍କ ସେବା କରୁଥିଲେ। ଅନେକ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରାର ପୁନଃରୁଦ୍ଧାରରେ ନିଜକୁ ସାମିଲ କରିଥିଲେ। ତାଙ୍କର ଶାନ୍ତ ସରଳ ଅମାୟିକ ଓ ନିରହଂକାର ଗୁଣ ଯୋଗୁଁ ସେ ସମସ୍ତଙ୍କର ଆଦରଣୀୟ ଥିଲେ। ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ ଢୋଲକିଆ ଆଜି ଆମ ଭିତରେ ନାହାନ୍ତି ସତ। କିନ୍ତୁ ନୂଆପଡାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ତାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ କଠିନ ପରିଶ୍ରମ ପାଇଁ ସେ ଲୋକଙ୍କ ହୃଦୟ ଜିତି ପାରି ଥିଲେ। ସେ ଲୋକଙ୍କ ପ୍ରିୟ ଥିଲେ ଏବଂ ସବୁବେଳେ ପ୍ରିୟ ହୋଇ ରହିଥିବେ। ଏ ଦୁଃଖ ସମୟରେ ସେ ନିଜେ ଏବଂ ପୁରା ବିଜୁ ଜନତା ଦଳ ଢୋଲକିଆ ବାବୁଙ୍କ ପରିବାର ସହ ରହିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଢୋଲକିଆଙ୍କ ପତ୍ନୀ, ପୁଅ ଓ ନୂଆପଡାବାସୀଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।

Latest Posts

Don't Miss