ଜୟ ପଦ୍ମ ଧରିବାକୁ ନେଇ ବିଜେପିର ତୃଣମୂଳ ସ୍ତରରେ ଅସନ୍ତୋଷ, ମାନଭଞ୍ଜନ ପାଇଁ ଭୁବନେଶ୍ବରରେ ଚାଲିଛି ଉଦ୍ୟମ
1 min read
ନନ୍ଦିଘୋଷ ବ୍ୟୁରୋ: ଜୟ ଢୋଲକିଆଙ୍କ ବିଜେପିରେ ମିଶ୍ରଣ ପରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ଆଶାୟୀଙ୍କ ଠାରୁ ତୃଣମୂଳ ସ୍ତରର କର୍ମୀ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ଭୁବନେଶ୍ବର ଡାକରା ହୋଇଛି । ଟିକେଟ ଆଶାୟୀ ପ୍ରସନ୍ନ ପାଢୀ ହୁଅନ୍ତୁ କି ଯଦୁମଣି ପାଣିଗ୍ରାହୀଙ୍କୁ ଭିନ୍ନ ଭିନ୍ନ ଜାଗାରେ ଅଲଗା ଅଲଗା ନେତା ବୁଝାଇବା କାମରେ ଲାଗିଛନ୍ତି । ବିଜେପି ନେତାମାନେ ନୂଆପଡ଼ାରେ ବିଜୟ ନେଇ ଆଶା ବାନ୍ଧୁଛନ୍ତି । କିନ୍ତୁ ପ୍ରାର୍ଥୀ ସ୍ଥିର କରିପାରୁନାହିଁ ବିଜେପି । ସଂସଦୀୟ ବୋର୍ଡ ହାତରେ ପ୍ରାର୍ଥୀ ଚୟନର ଦାୟିତ୍ବ ରହିଛି । ଅନ୍ୟପଟେ ରାଜ୍ୟ ନେତାମାନେ ଅସନ୍ତୁଷ୍ଟଙ୍କୁ ମନାଇବାରେ ଲାଗିଛନ୍ତି । ୨୫ ବର୍ଷ ହେଲାଣି ଢୋଲକିଆ ପରିବାର ସହ ବିଜେପି କର୍ମୀମାନେ ଲଢ଼େଇ କରୁଥିବା ବେଳେ, ଏବେ ପରିବର୍ତ୍ତିତ ସ୍ଥିତି ନେଇ କର୍ମୀଙ୍କ ମହଲରେ ବଢ଼ିଛି ଅଡ଼ୁଆ ।
ଜୟ ଢୋଲକିଆଙ୍କ ବିଜେପିରେ ମିଶ୍ରଣକୁ ସହଜରେ ଗ୍ରହଣ କରୁନାହାନ୍ତି ତୃଣମୂଳ ସ୍ତରର କର୍ମୀ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଯେଉଁ ପରିବାର ସହ ବିଜେପି କର୍ମୀମାନେ ଲଢେଇ କରୁଥିଲେ, ଆଜି ସାଲିସ କରିବା ସ୍ଥିତିକୁ ସହଜରେ ହଜମ କରୁପାରୁନାହାନ୍ତି ବିଜେପି ନେତା ଓ କର୍ମୀ । ଲୋକପ୍ରିୟ ବିଧାୟକ ରାଜୁ ଢୋଲକିଆଙ୍କ ପୁଅକୁ ଦଳରେ ମିଶାଇ ବିଜେପିର ଗଡ଼ ଜିତିବା ଲକ୍ଷ୍ୟ ଏବେ ସଙ୍କଟରେ । ଜୟଙ୍କ ମିଶ୍ରଣକୁ ନେଇ ତୃଣମୂଳ ସ୍ତରରେ ହଲଚଲ । ଅନେକ ମଣ୍ଡଳସ୍ତରୀୟ ନେତା ଅସନ୍ତୁଷ୍ଟ ହେବା ସହ ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜିଲ୍ଲା ଓ ବ୍ଲକସ୍ତରୀୟ ନେତାଙ୍କୁ ମନାଇବା ପାଇଁ ଭୁବନେଶ୍ବର ଡକାଯାଇଛି । ଅଲଗା ଅଲଗା ଜାଗାରେ ବିଜେପି ନେତାମାନେ ଅସନ୍ତୁଷ୍ଟଙ୍କୁ ମନାଇବା ଦାୟିତ୍ବ ନେଇଥିବା ଜଣାପଡ଼ିଛି । କର୍ମୀ ଓ ନେତାଙ୍କୁ ମନାଇବା ପାଇଁ ଚାଲିଛି ଗୁପ୍ତ ବୈଠକ । ୨୦୦୪ରୁ ରାଜେନ୍ଦ୍ର ଢୋଲକିଆ ଓ ତାଙ୍କ ପରିବାର ସହ ବିଜେପି କର୍ମୀମାନେ ଲଢ଼ି ଆସୁଛନ୍ତି । ହେଲେ ଏବେ ଜୟ ଢୋଲକିଆ ଦଳରେ ମିଶିବା ପରେ ଚିର ରାଜନୈତିକ ଶତ୍ରୁ ପାଇଁ ଭୋଟ ମାଗିବାକୁ ନେଇ ସନ୍ଦେହରେ ଦଳର ପୁରୁଣା କର୍ମୀ । ଏବେ ବି ଟିକେଟ ଆଶାରେ ଅଛନ୍ତି ଅନ୍ୟତମ ଆଶାୟୀ ପ୍ରସନ୍ନ ପାଢ଼ୀ । ଜୟଙ୍କ ମିଶ୍ରଣ ପରେ ବି ନୂଆପଡ଼ାରେ ଦଳର ପ୍ରାର୍ଥୀ ନେଇ କିଛି ସ୍ପଷ୍ଟ ଚିତ୍ର ଆସି ପାରୁନାହିଁ । ନୂଆପଡ଼ାରେ ଲଢେଇ ବିଜେପି ଯେତେ ସହଜ ଭାବୁଛି, ବାସ୍ତବ ପକ୍ଷରେ ସେତିକି ସହଜ ହେବନି ବୋଲି ମତ ରଖିଛନ୍ତି ସମୀକ୍ଷକ ।
ଜୟଙ୍କୁ ଦଳରେ ନେଇ ଅଡୁଆରେ ବିଜେପି । ମଣ୍ଡଳ ଓ ଜିଲ୍ଲା ସ୍ତରର କର୍ମୀ ଅସନ୍ତୁଷ୍ଟ । ଟିକେଟ ଆଶା ଛାଡ଼ିନାହାନ୍ତି ଦଳର ଆଶାୟୀ ପ୍ରାର୍ଥୀ । ପାରମ୍ପରିକ ଶତ୍ରୁ ସହ ସାଲିସ କର୍ମୀଙ୍କ ମନୋବଳ ଭାଙ୍ଗୁଛି । ହେଲେ ଦଳର ନେତାମାନେ କହୁଛନ୍ତି, ପ୍ରସ୍ତୁତ ହୋଇଛି ବିଜୟ ପାଇଁ ରଣନୀତି । ମଣ୍ଡଳ ଦାୟିତ୍ବରେ ରହିବେ ମନ୍ତ୍ରୀ, ପଞ୍ଚାୟତ ଦାୟିତ୍ବରେ ରହିବେ ବିଧାୟକ । କିଏ କେଉଁ ଦାୟିତ୍ବରେ ରହିବେ, ତା’ର ତାଲିକା ପ୍ରସ୍ତୁତ ହେଉଛି । ମୋହନ-ମନମୋହନଙ୍କ ଯୋଡ଼ି ଉପରେ ନେତାମାନେ ଭରସା କରୁଥିବା ବେଳେ କର୍ମୀମାନେ କିନ୍ତୁ ମୁହଁ ମୋଡ଼ିଲେଣି ।
ସରକାରରେ ଥିବାରୁ ବିଜେପି ପାଇଁ ନୂଆପଡ଼ା ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ନୂଆପଡ଼ା ଫଳାଫଳ ସରକାରଙ୍କ ଲୋକପ୍ରିୟତାର ପରୀକ୍ଷା ହୋଇଥିବାରୁ ଦଳ ଭାବିଚିନ୍ତି ଗୋଟି ଚଳାଉଛି । ହେଲେ ଜୟଙ୍କ ମିଶ୍ରଣ ପରେ ଅସନ୍ତୁଷ୍ଟଙ୍କୁ ମନାଇବା ଦଳ ପାଇଁ ହେବ ବଡ଼ ଆହ୍ବାନ ।