କିଏ ମାରିବ ନୂଆପଡ଼ା ବାଜି: ଉପନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷାଣା ପରେ ନିର୍ବାଚନୀ ରାଜନୀତି ବେଳକୁ ବେଳ ଉଷ୍ମ ହେବାରେ ଲାଗିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି । ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡାବାସୀଙ୍କ ଭଲପାଇବା ରହିଛି । ତେଣୁ ବିଜେଡିର ବିଜୟ ହେବ ବୋଲି ଦଳ କହିଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନୂଆପଡାରେ ବିଜୟବାନା ଉଡାଇବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପରୀକ୍ଷା ପୂର୍ବରୁ ନୂଆପଡା ପାସ ଫେଲକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

କାହାର ହେବ ନୂଆପଡା ? କେଉଁ ଦଳକୁ ଆଶୀର୍ବାଦ କରିବେ ନୂଆପଡାବାସୀ । ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ବୟାନବାଜି । କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ  ବିଜେପି ଓ ବିଜେଡି କାହାକୁ ପ୍ରାର୍ଥୀ କରିବେ ସେନେଇ ସସପେନ୍ସ ଜାରି ରହିଛି । ନଭେମ୍ବର ୧୧ ତାରିଖରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି । ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି ବିଜେଡି ପ୍ରାର୍ଥୀ ଚୂଡାନ୍ତ କରି ସାରିଛି । ଦଳର ସଭାପତି ନବୀନ ପଟ୍ଟନାୟକ କିଏ ପ୍ରାର୍ଥୀ ହେବ ତାହା ଘୋଷଣା କରିବେ । ଢୋଲକିଆ ପରିବାରରୁ ପ୍ରାର୍ଥୀ କରିବା ଆଲୋଚନା ହେଉଛି । ୨୦୨୪ ନିର୍ବାଚନରେ ନୂଆପଡ଼ାରେ ବିଜେଡି ବିଜୟ ହୋଇଥିଲା । ତେଣୁ ଉପନିର୍ବାଚନରେ ନୂଆପଡାବାସୀ ପୁଣି ଥରେ ବିଜେଡିକୁ ବିଜୟ ମୁକୁଟ ପିନ୍ଧାଇବେ । ଗତ ନିର୍ବାଚନରେ ଶାସକ ବିଜେପି ନୂଆପଡ଼ାରେ ତୃତୀୟ ସ୍ଥାନରେ ଥିଲା । ଲୋକ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଅଛନ୍ତି । ନବୀନ ଲୋକଙ୍କ ହୃଦୟରେ ଅଛନ୍ତି, ତାଙ୍କର ବିକଳ୍ପ ନାହିଁ । ବିଧାୟକଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରାଯିବ ବୋଲି ଆଶା କରୁଛୁ  ବୋଲି ଅଶ୍ବିନୀ କହିଛନ୍ତି ।

ନୂଆପଡା ନିର୍ବାଚନରେ ଶାସକ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କସରତ ଜାରି ରଖିଛି । ଓଡିଶାରୁ ଦିଲ୍ଲୀ ଯାଏଁ ବିଜେପିର ପ୍ରାର୍ଥୀ କସରତ ଚାଲିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, କିଏ ପ୍ରାର୍ଥୀ ହେବେ ସେ ନେଇ ଦଳ ଭିତରେ ଆଲୋଚନା ଚାଲିଛି । ପ୍ରାର୍ଥୀକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ନୂଆପଡାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିଦେଇଛି । କଂଗ୍ରେସର ହିଁ ବିଜୟ ହେବ । ତେବେ ଭୋଟ ଚୋରି ହୋଇପାରେ ବୋଲି କଂଗ୍ରେସ ସନ୍ଦେହ କରିଛି । ଇଭିଏମ ଚିନ୍ତା ଘାରିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନୂଆପଡାରେ ପ୍ରଚାର ସେତେ ଦୁଲୁକୁଛି । ୩ ପ୍ରମୁଖ ଦଳର ହେଭିଓ୍ବେଟ ନେତାମାନେ ଦଳକୁ ବିଜୟ କରିବାକୁ ପାଇଁ ଅଣ୍ଟା ଭିଡିଛନ୍ତି । ୨୦୧୯ ଓ ୨୦୨୪ରେ ବିଜେଡି ନୂଆପଡା ଦଖଲ କରିଥିଲା । ଉପ ନିର୍ବାଚନରେ ବିଜେପି ଓ କଂଗ୍ରେସ ବିଜେଡି ଗଡରେ ଭାଙ୍ଗିବାକୁ ଉଦ୍ଯମ କରିଛନ୍ତି ।