ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଚାଲିଛି ପ୍ରସ୍ତୁତି । ଚାଷୀ ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ସମସ୍ତେ ନିଜ ନିଜ ଘରେ ନୂଆ ଖାଇବେ । ଏହାପରେ ଜୁହାର ଭେଟ୍ ଅନୁଷ୍ଠିତ ହେବ । ଢୋଲ ନିଶାନର ତାଳେ ତାଳେ ଝୁମିବ ସାରା ପଶ୍ଚିମ ଓଡିଶା  । ନୂଆଁଖାଇ  ପାଇଁ ମହିଳାମାନେ ଘର ସଫା ସୁତରା କରିବା ସହିତ ଗୋବର ମାଟି ଲେପ ଦେଇଛନ୍ତି । ଘରର ଆସବାବ ପତ୍ର, କୁଲା, ଡାଲା ମଜାମଜି କରି ପ୍ରସ୍ତୁତି ଚଳାଇଛନ୍ତି ଘରର ମହିଳା । ଜଙ୍ଗଲରୁ କୁରେଇ, ଭେଲୁଆ ଓ ସରଗୀ ପତ୍ର ତୋଳି ଆଣି ଖଲିଦନା ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ବସଷ୍ଟାଣ୍ଡଠୁ ରେଳ ଷ୍ଟେସନ, ସବୁଠି  ଦେଖିବାକୁ ମିଳୁଛି ଲୋକଙ୍କ ଘରବାହୁଡ଼ା । ଘରେ ପହଞ୍ଚିବାକୁ ସମସ୍ତଙ୍କ ମନରେ ଦେଖିବାକୁ ମିଳୁଛି ଉତ୍ସାହ । ଅନ୍ୟଦିନରେ ଘରକୁ ଫେରୁଥିଲେ ବି ନୂଆଁଖାଇ ପାଇଁ ଘରକୁ ଫେରିବାର ମଜା କିଛି ଅଲଗା ଥାଏ  । ଯେଉଁଥି ପାଇଁ ଯିଏ ଯେଉଁଠି ରହିଥିଲେ ସୁଦ୍ଧା ଘରକୁ ବାହୁଡ଼ୁଛନ୍ତି । ଉତ୍ସାହର ସହ ବୁଧବାର ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।  ଘରେ ଘରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ନୂଆ ପିନ୍ଧିବା ପାଇଁ ବଜାରରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି ।