ଆଜି ନୂଆଁଖାଇ: ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା

1 min read

ଆଜି ନୂଆଁଖାଇ । ସବୁଠି ଆନନ୍ଦ ଓ ଉଲ୍ଲାସ । ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକୁଛି ପଶ୍ଚିମ ଓଡ଼ିଶା । ପିଠାପଣାରେ ମହକୁଛି ଗାଁ ଦାଣ୍ଡ । ଅତିଥି ଓ ଅଭ୍ୟାଗତଙ୍କ ଲାଗିଛି ଗହଳି । ମାଆ ସମଲେଶ୍ଵରୀଙ୍କ ପୀଠରେ ୧୦.୩୩ ରୁ ୧୦.୫୫ ମଧ୍ୟରେ ନବାନ୍ନ ଲାଗି ହୋଇଥିବା ବେଳେ ପଶ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନୂଆଁଖାଇ ପାଳିତ ହୋଇଛି । ନୂଆପଡାରେ ଇଷ୍ଟଦେବୀଙ୍କୁ ନୂତନ ଶସ୍ୟ ଅର୍ପଣ ପରେ ତୁକୁଲା ଗାଁରେ ଶହେ ମେହର ପରିବାର ଏକାଠି ବସି ନୂଆ ଖାଇ ସମାଜକୁ ଏକତାର ବାର୍ତ୍ତା ଦେଇଛନ୍ତି । ଝାରସୁଗୁଡାରେ ରାଗରୋଷ ଭୁଲି ୨୦ରୁ ଉର୍ଦ୍ଧ୍ଵ ବ୍ୟକ୍ତି ନୂଆ ଖାଇଛନ୍ତି ।

ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇପଡିଛି କଳାହାଣ୍ଡିର ଜୁନାଗଡ ସହର । ପ୍ରଥମେ ଦଧି ବାମନ ମନ୍ଦିରରେ ଓ ପରେ ଜୁନାଗଡ଼ର ଇଷ୍ଟ ଦେବୀ ଲଙ୍କେଶ୍ୱରିଙ୍କ ମନ୍ଦିରରେ ନବାନ୍ନ ଲାଗି ହେବା ପରେ କଳାହାଣ୍ଡି ଜିଲ୍ଲାରେ ପାଳିତ ହୋଇଛି ନୂଆଁଖାଇ । ପିଠା ପଣା ଖିରି ପୁରୀ ସମସ୍ତେ ଖାଇସାରିବା ପରେ ଚାଲିଛି ଜୁହାର ଭେଟ । ନାଚ ଗୀତରେ ମଧ୍ୟରେ ଗାଁ ରେ ସୃଷ୍ଟି ହୋଇଛି ବର୍ଣ୍ଣାଢ଼୍ୟ ପରିବେଶ l ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଇଷ୍ଟଦେବୀ ସମଲେଇଙ୍କ ଠାରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇଛନ୍ତି ସମସ୍ତେ । ଉତ୍ସାହ, ଉଦ୍ଦୀପନାର ପର୍ବ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।