ସୁନ୍ଦରଗଡ଼ ମେଡିକାଲ୍ କଲେଜରେ ଆରମ୍ଭ ହେବ ନାମଲେଖା, ଭିତ୍ତିଭୂମି ହସ୍ତାନ୍ତର କଲା NTPC

NTPC Handover Sundargarh Medical College Infrastructure To Odisha Govt

ସୁନ୍ଦରଗଡ଼: ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଭିତ୍ତିଭୂମି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍‌ଟିପିସି । ଏନଟିପିସି ଜେନେରାଲ ମ୍ୟାନେଜର ପରେଶ ଗଜଲେୱାର ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ହସ୍ତାନ୍ତର କରିଛନ୍ତି । ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ଏବଂ ପୂର୍ତ୍ତ ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ଆନୁଷଙ୍ଗିକ କାଗଜପତ୍ର ଓ ମେଡିକାଲ କଲେଜ ହସ୍ପିଟାଲର ଏକ ପ୍ରତିକୃତି ଗ୍ରହଣ କରିଥିଲେ । ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚଳିତ ଶିକ୍ଷାବର୍ଷରୁ ଡାକ୍ତରୀ ପାଠପଢ଼ା ଆରମ୍ଭ ହେବ ।

ପ୍ରଥମ ବର୍ଷରେ ୧୦୦ ସିଟ୍ ପାଇଁ ଛାତ୍ରଛାତ୍ରୀ ନାମ ଲେଖାଇବେ । ମେଡିକାଲ କଲେଜ ପରିସରରେ ପରୀକ୍ଷା ହଲ୍, ଗବେଷଣାଗାର, ସ୍ମାର୍ଟ କ୍ଲାସ୍ ରୁମ୍, ପାଠାଗାର, ରେଷ୍ଟୁରାଣ୍ଟ ଓ କନଫରେନ୍ସ ହଲର ସୁବିଧା ରହିଛି । ୨୦୧୪ରେ ଏନଟିପିସି ପକ୍ଷରୁ ସୁନ୍ଦରଗଡ଼ଠାରେ ୨୧ ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୨୦୨୧ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ରାଜ୍ୟ ସରକାର ଗତବର୍ଷ ଏହାକୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବରେ ମଞ୍ଜୁରୀ ଦେଇଥିଲେ । ମେଡିକାଲ କଲେଜ ପାଇଁ ଡିନ୍ ଓ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ମିଳି ସାରିଛି ।