ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଝଟ୍‌କା, ୧୬ କୋଟିରୁ ସାଢ଼େ ତିନି କୋଟିକୁ ଖସିଲା ଅନୁଦାନ

1 min read
NTCA Cut Financial Assistance To Satkosia Tiger Reserve Project

ଭୁବନେଶ୍ୱର: ସାତେକାଶିଆ ବ୍ୟାଘ୍ର ପ୍ରକଳ୍ପକୁ ପୁଣି ଝଟକା । ବାଘ ଫେରସ୍ତ ନିଷ୍ପତ୍ତି ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅନୁଦାନ ହ୍ରାସ ନିଷ୍ପତ୍ତି ପଦାରେ ପକାଇଛି କେନ୍ଦ୍ରୀୟ ଅବେହଳା ପ୍ରସଙ୍ଗ । ଚଳିତ ବର୍ଷ ବରାଦ ହୋଇଥିବା ଅନୁଦାନର ୭୦ ପ୍ରତିଶତ କମ୍ ଦେବ ବୋଲି ରାଜ୍ୟ ସରକାରଙ୍କୁ ଏନଟିସିଏ ଅବଗତ କରିଛି । ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଏପରି ନ ହେଲେ, ପ୍ରଭାବିତ ହୋଇପାରେ କର୍ମଚାରୀଙ୍କ ଦରମା ।

୨୦୧୯ ମସିହା ଡିସେମ୍ବରରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଉପରେ ରୋକ ଲଗାଇ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶ ଫେରାଇବାକୁ ନିଷ୍ପତ୍ତି ନେଇଥିଲା ଏନଟିସିଏ । ଏହାର ୯ ମାସ ପରେ ବ୍ୟାଘ୍ର ପ୍ରକଳ୍ପ ଅନୁଦାନ କାଟ୍‌ କରିବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏନଟିସିଏକୁ ୧୬ କୋଟିର ଅନୁଦାନ ମାଗିଥିଲା ବନ ବିଭାଗ । ହେଲେ ମଞ୍ଜୁର ହୋଇଛି ମାତ୍ର ୩.୬୦ କୋଟି ଟଙ୍କା । ଏପରିକି ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦାଖଲର ନିର୍ଦ୍ଦେଶ ଦିଆଯାଇଛି । ଯାହା ପ୍ରଭାବିତ କରିବ ବ୍ୟାଘ୍ର ସୁରକ୍ଷା ଦାୟିତ୍ୱରେ ଥିବା ୨୯୬ କର୍ମଚାରୀଙ୍କ ଦରମା । ଏନଟିସିଏ ଦେଇଥିବା ଅର୍ଥର ପରିମାଣ ଏତେ କମ୍ ଯେ ଅଧା ଦରମା ନ ହେଲେ କର୍ମଚାରୀଙ୍କ ଛଟେଇ ଯାଏ ବି କଥା ଯାଇପାରେ । ଏପରି ହେଲେ ନୟାଗଡ଼, କଟକ, ବୌଦ୍ଧ ଓ ଅନୁଗୁଳ ସାତକୋଶିଆ ବନ ରେଞ୍ଜରେ କାମ କରୁଥିବା ଅଧିକାଂଶ ଲୋକଙ୍କ ଘରେ ଚୁଲି ଜଳିବା କାଠିକର ହୋଇଯିବ ।

Satkosia Tiger Reserve Project

ଅନୁଦାନ କାଟକୁ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବୈମାତୃକ ମନୋଭାବର ଆଖ୍ୟା ଦେଇଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏହା ଦରମା ବ୍ୟତୀତ ଆହୁରି ଅନେକ ପ୍ରଭାବ ପକାଇବ ।

  • ଭିତ୍ତିଭୂମି: ବାଘ ରହିବା ପାଇଁ ଜଙ୍ଗଲର ପରିବେଶର ଉନ୍ନତିକରଣ ବାଧାପ୍ରାପ୍ତ ହେବ ।
  • ୱାଚ୍ ଆଣ୍ଡ ୱାର୍ଡ: ଶିକାରୀ ଓ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ କରିବା ଉପକରଣର କିଣା ବନ୍ଦ ହୋଇପାରେ ।
  • ସଂକ୍ରମଣ ନିରୋଧ ଟୀକାକରଣ: ଜଙ୍ଗଲରେ ବସବାସ କରୁଥିବା ଲୋକଙ୍କ ଗୃହପାଳିତ ପଶୁଙ୍କଠାରୁ ଯେପରି ବନ୍ୟଜନ୍ତୁଙ୍କୁ ସଂକ୍ରମଣ ନ ବ୍ୟାପେ, ତା ପାଇଁ ଟୀକାକରଣ କରାଯାଇଥାଏ । ହେଲେ ଟୀକାକରଣ ବନ୍ଦ କରିବାକୁ ବାଧ୍ୟ ହୋଇପାରେ ବନ ବିଭାଗ ।

NTCA Cut Financial Assistance To Satkosia Tiger Reserve Project

ସୁନ୍ଦରୀକୁ ଫେରାଇବା ପରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ପୁଣି ବାହାର ରାଜ୍ୟରୁ ବାଘ ଆଣିବାକୁ ଯୋଜନା କରୁଥିଲେ । ହେଲେ ଅନୁଦାନ କାଟ ଯୋଗୁ ହୁଏତ ଆଗକୁ ସାତକୋଶିଆରେ ବ୍ୟାଘ୍ର ପ୍ରଜନନ ପ୍ରକଳ୍ପ ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି ।

Leave a Reply