ତିନି ସପ୍ତାହ ହେଲା ନୃସିଂହ ନିଖୋଜ, ଛକକୁ ଯାଇଥିଲେ ଫେରିଲେନି…

1 min read

ବାଲିପାଟଣା: ହାତରେ ଛୋଟିଆ ଫଟୋଟିଏ ଧରି କଇଁ କଇଁ କାନ୍ଦୁଛନ୍ତି ମହିଳା ଜଣଙ୍କ । ପଚାରିବାରୁ କହୁଛନ୍ତି ମୋ ସ୍ୱାମୀ ମିଳୁ ନାହାଁନ୍ତି । ଇଲେକ୍ସନରେ ବୁଲୁଥିଲେ, ପରେ ଛକକୁ ଯାଉଛି କହି ଆଉ ଫେରିନଥିଲେ । ସ୍ୱାମୀ ନିଖୋଜକୁ ପ୍ରାୟ ୨୦ ଦିନ ବିତିଲାଣି, ଥାନାରେ ମଧ୍ୟ ଏତଲା ଦେଇଛନ୍ତି । କିନ୍ତୁ ଏଯାଏଁ ମିଳୁନାହିଁ କୌଣସି ଖୋଜ ଖବର । ଫଟୋକୁ ଛାତିରେ ଚାପି ରଖି କେବଳ ଆଶା ଓ ଆଶ୍ୱସନାରେ ବଞ୍ଚୁଛନ୍ତି ଏହି ମହିଳା ଜଣଙ୍କ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପୂବାଗଡ଼ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ହୃଦୟ ବିଦାରକ ଘଟଣା ।

ପଞ୍ଚାୟତ ନିର୍ବାଚନ ସରିଲାଣି । ପ୍ରତିନିଧି ଦାୟିତ୍ୱ ବି ନେଇସାରିଲେଣି । କିନ୍ତୁ ଜଣେ ପ୍ରାର୍ଥୀଙ୍କ ସମର୍ଥକଙ୍କ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗୁଆପୁର ପଞ୍ଚାୟତ ପୂବାଗଡ଼ ଗ୍ରାମର ନୃସିଂହ ଭୋଇ ମାର୍ଚ୍ଚ ୧ ତାରିଖରୁ ସ୍ଥାନୀୟ ବସନ୍ତମାଳ ଛକକୁ ଯାଉଛି କହି ଘରୁ ବାହାରିଯାଇଥିଲେ । ପରବର୍ତ୍ତୀ ସମୟରେ ଘରକୁ ଆଉ ଫେରିନଥିଲେ । ନୃସିଂହଙ୍କ ବାପା-ମାଆ ନଥିବାବେଳେ ପତି ଓ ପତ୍ନୀକୁ ନେଇ ନୃସିଂହଙ୍କ ପରିବାର । ପରିବାରର ମେରୁଦଣ୍ଡ ନୃସିଂହ ନିଖୋଜ ହେବା ପରଠାରୁ ଘର ଚଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ପଡୋଶୀଙ୍କ ସାହାଯ୍ୟରେ ଦି ମୁଠା ଖାଇବାକୁ ମିଳୁଥିବାବେଳେ କେବଳ ସ୍ୱାମୀଙ୍କ ଫଟୋକୁ ଧରି କାନ୍ଦୁଛନ୍ତି ସ୍ତ୍ରୀ ଚାନ୍ଦିନୀ ଭୋଇ ।

ମାର୍ଚ୍ଚ ୧ ତାରିଖରୁ ନିଖୋଜ ନୃସିଂହ ଭୋଇ । ମାର୍ଚ୍ଚ ୩ ତାରିଖରେ ପରିବାର ଲୋକେ ବାଲିପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମବାସୀ ମଧ୍ୟ ଦୀର୍ଘ ଦିନ ଧରି ବହୁ ଖୋଜାଖୋଜି କରିଥିଲେ, ହେଲେ ନୃସିଂହଙ୍କ ପତ୍ତା ପାଇନଥିଲେ । କିନ୍ତୁ ଅଭିଯୋଗକୁ ତିନି ସପ୍ତାହ ବିତିବାକୁ ବସିଥିବାବେଳେ ନୃସିଂହଙ୍କ ବିଷୟରେ ପୋଲିସ ପାଖରେ ନାହିଁ କୌଣସି ସୂଚନା । ପୋଲିସ ନିଖୋଜ ନୃସିଂହଙ୍କ ବିଷୟରେ କୌଣସି ତଦନ୍ତ କରୁଛି ନା ହାତବାନ୍ଧି ବସିଛି, ତାହା ଏବେ ବଡ଼ ପ୍ରଶ୍ନ ।