କଟକର ଐତିହ୍ୟ ବୁଲି ଦେଖିବେ ପ୍ରବାସୀ ଭାରତୀୟ
କଟକ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ଓଡ଼ିଶା ଆଗମନ ଆରମ୍ଭ ହୋଇସାରିଛି । ଏହି ସମ୍ମିଳନୀରେ ଓଡିଶା ଆସୁଥିବା ଅତିଥିମାନେ ଐତିହାସିକ କଟକ ସହରର ୫ଟି ସ୍ଥାନ ବୁଲି ଦେଖିବେ । ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ଯୋବ୍ରା ମାରିଟାଇମ ମ୍ୟୁଜିୟମ୍, ବାରବାଟୀ ଦୁର୍ଗ ପରିସର, ସିଲଭରସିଟି ବୋଟ କ୍ଲବ ଓ ଜୁଡିସିଆଲ ମ୍ୟୁଜିୟମ ସହ ଲଳିତଗିରି ଓ ମାଣିଆବନ୍ଧ ବୁଲି ଦେଖିବେ ପର୍ଯ୍ଯଟକ । ଏଥିପାଇଁ ଏସବୁ ସ୍ଥାନ ଓ ସହରର ସୁନ୍ଦର ସାଜସଜା କାମ ସରିଛି । ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସିଲଭର ସିଟି ବୋଟ କ୍ଲବରେ ଅତିଥି ଓ ସାଧାରଣ ଲୋକଙ୍କ ପାଇଁ ମହାନଦୀ ଫେଷ୍ଟିଭାଲ ଆୟୋଜନ କରାଯାଇଛି ।
କଟକ ସହର ବୁଲି ଦେଖିବେ ପ୍ରବାସୀ ଭାରତୀୟ । ଏଥିପାଇଁ ସଜେଇ ହେଲାଣି ସିଲଭର ସିଟି । ଭୁବନେଶ୍ବରରେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆସୁଥିବା ଅତିଥିମାନେ ୩ ଦିନରେ କଟକ ସହରର ନେତାଜୀ ଜନସ୍ଥାନ ସଂଗ୍ରହାଳୟ, ବାରବାଟୀ ଦୁର୍ଗ, ସିଲଭରସିଟି ବୋଟ କ୍ଲବ, ନ୍ୟାୟିକ ମ୍ୟୁଜିୟମ, ଯୋବ୍ରା ମାରିଟାଇମ ମ୍ୟୁଜିୟମ ବୁଲି ଦେଖିବେ । ଏଥିପାଇଁ ଏସବୁ ସ୍ଥାନକୁ ସୁନ୍ଦର ଭାବେ ସଜା ଯିବା ସହିତ ଆଲୋକ ବ୍ୟବସ୍ଥା କରାଯାଇଛି । ଯେଉଁ ରାସ୍ତା ଦେଇ ସେମାନେ କଟକ ବୁଲିବେ ସେ ସବୁକୁ ପରିଷ୍କାର କରି ୱାଲ ପେଣ୍ଟିଂ କରାଯାଉଛି ।
କେବଳ ସେତିକି ନୁହେଁ ପ୍ରବାସୀ ଭାରତୀୟ ଲଳିତଗିରି ଯାଇ ସେଠାକାର ଐତିହାସିକ ଗୁମ୍ଫା ଓ ବୌଦ୍ଧ ପରମ୍ପରା ବୁଲି ଦେଖିବେ । ସେହିପରି ଶାଢୀ ବୁଣା ଦେଖିବାକୁ ମାଣିଆବନ୍ଧ ପରିଦର୍ଶନ କରିବେ । ଅନ୍ଯପକ୍ଷରେ କଟକ ସିଲଭର ସିଟି ବୋଟ କ୍ଲବରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ମହାନଦୀ ଫେଷ୍ଟିଭାଲ ଆୟୋଜିତ ହେଉଛି । କଟକ ପ୍ରସିଦ୍ଧ ଦହିବରା ଆଳୁଦମ, ଠୁଙ୍କାପୁରୀ ଖାଦ୍ଯର ପସରା ସାଙ୍ଗକୁ ଫିଲିଗିରି ଗହଣା ତିଆରି ଓ ମାଣିଆବନ୍ଧ ଶାଢୀ ବୁଣାର ଡେମୋ ସହ ପ୍ରଦର୍ଶନୀ ଲାଗିବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛି ସିଏମସି ଓ ଜିଲ୍ଲା ପ୍ରଶାସନ ।