ଚଢା ଦାମରେ ଔଷଧ ବିକ୍ରୀ କରିପାରିବେନି ଦୋକାନୀ, ଜାଣନ୍ତୁ କେଉଁ କେଉଁ ଔଷଧର ମୂଲ୍ୟ ବଦଳିଲା

1 min read

ନୂଆଦିଲ୍ଲୀ: ଆଉ ଚଢା ଦାମରେ ଔଷଧ ବିକ୍ରି କରିପାରିବେ ନାହିଁ ଔଷଧ ଦୋକାନୀ । ଲୁଟ୍ ହେବ ନାହିଁ  ଗରିବଗୁରୁବାଙ୍କ ପକେଟ୍ । କାରଣ ଏ ଦିଗରେ ବଡ଼ ପଦକ୍ଷେପ ନେଇଛି ଔଷଧର ମୂଲ୍ୟ ନିର୍ଦ୍ଧାରଣକାରୀ ନିୟାମକ । ବଦଳିଯାଇଛି ପାରାସିଟାମଲ ଭଳି ଜରୁରୀ ଔଷଧର ମୂଲ୍ୟ  । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୮୪ଟି ଜରୁରୀ ଔଷଧର ମୂଲ୍ୟ ପରିବର୍ତ୍ତନ କରିଛି ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ବା ଏନପିପିଏ । ଔଷଧ ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ-୨୦୧୩ ଆଧରରେ ଏନପିପିଏ ଏହି ଔଷଧଗୁଡିକର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛି ।

ଦେଶରେ ଔଷଧ ଓ ଫର୍ମୁ୍ୟଲେସନର ମୂଲ୍ୟ ନିର୍ଦ୍ଧାରଣ କରିବା, ସେଗୁଡିକ ଉପରେ ନିୟନ୍ତ୍ରଣ ଓ ଉପଲବ୍ଧତା କାୟମ ରଖିବାର କାମ କରିଥାଏ । ଏଥିଅନୁସାରେ ଯଦି କୌଣସି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଅଧିକ ମୂଲ୍ୟ ସଂଗ୍ରହ କରନ୍ତି । ତେବେ ପ୍ରାଧିକରଣ ତା’ଠାରୁ ଅସୁଲ କରିଥାଏ । ଏହାବ୍ୟତୀତ ଯେଉଁ ଔଷଧଗୁଡିକର ମୂଲ୍ୟ ନିୟନ୍ତ୍ରଣ ସୂଚୀରେ ନାହିଁ ଏଜେନ୍ସି ତାହାର ମଧ୍ୟ ତଦାରଖ କରିଥାଏ । ଏନପିପିଏ ନୋଟିଫିକେସନ ଅନୁସାରେ ଗୋଟିଏ ପାରାସିଟାମଲ-କଫିନ ଟାବ୍ଲେଟ ମୂଲ୍ୟ ୨.୮୮ ଟଙ୍କା  । ରୋସୁଓ୍ବାଷ୍ଟାନିନ ଏସ୍ପିରିନ ଓ କ୍ଲୋପିଡୋଗ୍ରେଲ କ୍ୟାପସୁଲ ମୂଲ୍ୟ ୧୩.୯୧ ଟଙ୍କା ଏବଂ ଭୋଗ୍ଲିବୋସ ଆଣ୍ଡ(ଏସଆର) ମେଟଫୋର୍ମିନ ହାଇଡ୍ରୋକ୍ଲୋରାଇଡ ଟାବ୍ଲେଟ ମୂଲ୍ୟ ୧୦.୪୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିସହ ସିପ୍ଲା ଏବଂ ପିୟୋର ଆଣ୍ଡ କେୟାର ହେଲ୍ଥକେୟାର ଦ୍ବାରା କିବ୍ରି କରାଯାଉଥିବା ଏଣ୍ଟୋରଓ୍ବାଷ୍ଟେଟନ ଏବଂ ଫେନୋଫ୍ରିବ୍ରେଟ ଟାବଲେଟ ଏଣିକି ୧୩.୮୭ ଟଙ୍କାରେ ମିଳିବ । ଏହି ଔଷଧକୁ ହୃଦରୋଗ ଏବଂ ମଧୁମେହ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ ।

ସେହିଭଳି ଓ୍ବଗ୍ଲିବୋସ ଆଣ୍ଡ ଏସଆର ମେଟଫର୍ମିନ ହାଇଡ୍ରୋକ୍ଲୋରାଇଡର ଏକ ଟାବଲେଟ ମୂଲ୍ୟ ଜିଏସଟିକୁ ଛାଡି ୧୦.୪୭ ଟଙ୍କା ରହିଛି । ସାଧାରଣ ଲୋକେ ଏଇଆ ଲାଭ ପାଇବେ ଯେ ଆଗକୁ କୌଣସି ଔଷଧ ଦୋକାନୀ ଅଧିକ ମୂଲ୍ୟରେ ଏହି ଜରୁରୀ ଔଷଧଗୁଡିକୁ ବିକ୍ରି କରିପାରିବେ ନାହିଁ । ଏନପିପିଏର ନୋଟିଫିକେସନ୍ ଅନୁସାରେ ଫାର୍ମା କମ୍ପାନୀଗୁଡିକୁ ଔଷଧର ପରିବର୍ତ୍ତିତ ମୂଲ୍ୟର ନିୟମକୁ ଔଷଧ ଦୋକାନୀମାନେ କଡ଼ାକଡ଼ି ଭାବେ ପାଳନ କରିବାର ଆବଶ୍ୟକତା ରହିଛି । ଏଭଳି ନକଲେ  ଦୋକାନୀ ଗ୍ରାହକଙ୍କଠାରୁ ନେଇଥିବା ଅତିରିକ୍ତ ମୂଲ୍ୟ ସହିତ ସୁଧା ବି ଜରିମାନା ଆକାରରେ ପୈଠ କରିବେ ।

ତେବେ ପ୍ରାଧିକରଣ ସ୍ପଷ୍ଟ କରିଛି ଯେ ଔଷଧଗୁଡିକର ମୂଲ୍ୟ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏହା ଉପରେ ପୃଥକ ଭାବେ ଜିଏସଟି ଲାଗିବ । କିନ୍ତୁ ଔଷଧ କମ୍ପାନୀଗୁଡିକ ଯଦି ସରକାରଙ୍କୁ ଖୁଚୁରା ମୂଲ୍ୟରେ ଜିଏସଟି ପୈଠ କରିଥିବେ ତେବେ କମ୍ପାନୀଗୁଡିକ ଗ୍ରାହକଙ୍କଠାରୁ ଔଷଧର ନିର୍ଦ୍ଧାରିତ ମୂଲ୍ୟ ସହ ଜିଏସଟି ସଂଗ୍ରହ କରିପାରିବେ । ଯଦି କୌଣସି ବିକ୍ରେତା ଏହି ଔଷଧଗୁଡିକୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଜଣାପଡିଲା ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ । ଏହା ପୂର୍ବରୁ ଏପ୍ରିଲରେ ଏନପିପିଏ ୮୦୦ ଜରୁରୀ ଔଷଧର ମୂଲ୍ୟ ୧୦.୭% ବୃଦ୍ଧି କରିଥିଲା ।