Google Pay, Phone Pay ଉପରେ ରୋକ ଲଗାଇବେନି ସରକାର: ୨୦୨୬ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କଲା NPCI
1 min readନନ୍ଦିଘୋଷ ବ୍ୟୁରୋ: ୟୁପିଆଇ ଆପ୍ସ ଉପରେ ମାର୍କେଟ ଶେୟାର କ୍ୟାପ ଲାଗୁ କରିବାର ସମୟସୀମା ଦୁଇ ବର୍ଷ ପାଇଁ ବୃଦ୍ଧି କରି ୨୦୨୬ ପର୍ଯ୍ୟନ୍ତ କରାଯାଇଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (NPCI)ର ଏହି ନିଷ୍ପତ୍ତି ଫଳରେ ଭାରତୀୟ ୟୁପିଆଇ ଇକୋସିଷ୍ଟମରେ ଅଗ୍ରଣୀ ଥିବା ଗୁଗଲ ପେ ଓ ଫୋନ ପେ’କୁ ଆଶ୍ବସ୍ତି ମିଳିବ । ମାର୍କେଟ ଶେୟାର କ୍ୟାପର ପ୍ରସ୍ତାବ ୨୦୨୦ରେ ଦିଆଯାଇଥିଲା । କୌଣସି ୟୁପିଆଇ ପେମେଣ୍ଟ ଆପକୁ ୩୦ ପ୍ରତିଶତରୁ ଅଧିକ ବଜାର ଅଂଶଧନ ରଖିବା ନେଇ ରୋକାଯିବାର ଥିଲା । ପ୍ରତିଦ୍ବନ୍ଦ୍ବିତାକୁ ଗୁରୁତ୍ବ ଦେବା ଓ ମନମାନୀକୁ ରୋକିବା ଏହା ପଛର ଉଦ୍ଦେଶ୍ୟ ଥିଲା ।
ବର୍ତ୍ତମାନ ସମୟରେ ଫୋନ ପେ’ର ବଜାର ଅଂଶଧନ ୪୭.୮ ପ୍ରତିଶତ ରହିଥିବା ବେଳେ ଗୁଗଲ ପେ’ର ୩୭ ପ୍ରତିଶତ ରହିଛି । ଉକ୍ତ ପ୍ରସ୍ତାବ ଲାଗୁ କରିଥିଲେ ଲକ୍ଷ ଲକ୍ଷ ୟୁଜର୍ସଙ୍କ ସେବାରେ ବାଧା ସୃଷ୍ଟି ହୋଇଥାନ୍ତା । ଏହି ସମୟସୀମା ବୃଦ୍ଧି କରି ବଜାରରେ କମ୍ପିଟିସନକୁ ସନ୍ତୁଳନ ରକ୍ଷା କରିବାକୁ NPCI ପ୍ରୟାସ କରିଛି । ଏହାଫଳରେ ନୂଆ କରି ଆସୁଥିବା ଫିନଟେକ ପ୍ଲାଟଫର୍ମଗୁଡ଼ିକୁ ନିଜର ବ୍ୟବସାୟକୁ ମଜବୁତ କରିବାକୁ ଅଧିକ ସମୟ ମିଳିବ । NPCI ତରଫରୁ WhatsApp Pay ଉପରେ ୧୦୦ ମିଲିୟନ ୟୁଜର୍ସ ସୀମାକୁ ମଧ୍ୟ ହଟାଇ ଦିଆଯାଇଛି । ଏହାଫଳରେ Metaର ମାଲିକାନାରେ ରହିଥିବା ଏହି ପ୍ଲାଟଫର୍ମ ଏବେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବୀ ଢଙ୍ଗରେ କମ୍ପିଟିସନ କରି ପାରିବ ।