ପିଆଜ-ରସୁଣ ଖାଆନ୍ତି ନାହିଁ ରାଷ୍ଟ୍ରପତି ମୁର୍ମୁ, ରାଷ୍ଟ୍ରପତି ଭବନ ରୋଷେଇଶାଳରେ ସାମିଲ ହୋଇପାରେ ପଖାଳ,ସଜନା ଶାଗ !

ନନ୍ଦିଘୋଷ ବ୍ୟୁରୋ : ସବୁ ନୂଆ ରାଷ୍ଟ୍ରପତିଙ୍କ ସହିତ ରାଇସିନା ହିଲସର ଭବ୍ୟ ରାଷ୍ଟ୍ରପତି ଭବନରେ ଆସିଥାଏ କିଛି ପରିବର୍ତ୍ତନ । ଏହା ନୂଆ ରାଷ୍ଟ୍ରପତିଙ୍କ ରୁଚି ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ । ଦ୍ରୌପଦୀ ମୁର୍ମୁ ଦେଶର ପଂଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ଦ୍ରୋପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ଓଡ଼ିଶାବାସୀଙ୍କୁ ନିଶ୍ଚିନ୍ତ ଭାବେ ଉତ୍ସାହିତ କରିଛି । ଖୁସି କରିଛି । ସୋସିଆଲ ମିଡିଆରେ ଏବେ ଓଡ଼ିଆ ୟୁଜର ଲେଖୁଛନ୍ତି ଯେ, ସମ୍ଭବତଃ ଭାରତକୁ କେବଳ ଉତ୍ତର ଭାରତ ଓ ପୂର୍ବ ଭାରତକୁ କେବଳ ପଶ୍ଚିମବଙ୍ଗ ଭାବୁଥିବା ଲୋକ ଆଉ ଭାରତ ମ୍ୟାପରେ ଓଡ଼ିଶା କେଉଁଠି ବୋଲି ପଚାରିବେ ନାହିଁ । ଏହାରି ଭିତରେ ନୂଆ ରାଷ୍ଟ୍ରପତିଙ୍କ ଅମଳରେ ରାୟସିନା ହିଲରେ କିଚେନରେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ସ୍ଥାନ ପାଇବ ବୋଲି ଆଲୋଚନା ହେଲାଣି । ସୋସିଆଲ ମିଡିଆରୁ ମେନ୍ ଷ୍ଟ୍ରିମ୍ ମିଡିଆ ସବୁଠି ଏବେ ଓଡ଼ିଶାର ପଖାଳ ଓ ସଜନା ଶାଗକୁ ନେଇ ଚର୍ଚ୍ଚା । ଆସନ୍ତୁ ଜାଣିବା କାହିଁକି..

ମୁର୍ମୁଙ୍କ ପସନ୍ଦ ସଜନା ଶାଗ ଓ ପଖାଳ

ଓଡ଼ିଆଙ୍କ ପ୍ରାଣ ହେଉଛି ପଖାଳ । ଓଡ଼ିଆଙ୍କ ଆତ୍ମା ଓ ପ୍ରାଣ ପଖାଳରେ ହିଁ ସନ୍ତୁଷ୍ଟି ପାଇଥାଏ । ଏହା କହିବା ଦରକାର ନାହିଁ । ମହାମହିମ ମୁର୍ମୁ ମଧ୍ୟ ପଖାଳ ପ୍ରିୟ । ପଖାଳ ସହିତ ସେ ସଜନା ଶାଗ ଭଜା ଖାଇବାକୁ ପସନ୍ଦ କରନ୍ତି । ସଜନା ଶାଗ ଓ ପଖାଳ ତାଙ୍କର କେତେ ପ୍ରିୟ ଏହା ମୁର୍ମୁଙ୍କ ସମ୍ପର୍କୀୟ କୁହନ୍ତି । ମୁର୍ମୁ ତାଙ୍କ ବାପଘର ମୟୁରଭଂଜର ଉପରବେଡାକୁ ଯେତେବେଳେ ବି ଯାଆନ୍ତି ଆଗୁଆ କରିଥାନ୍ତି ପଖାଳର ଫର୍ମାଇସ୍ । ଫୋନରେ ନିଜ ଭାଉଜ ଶାକ୍ୟମୁନୀଙ୍କୁ ପଖାଳ ଓ ସଜନା ଶାଗ ପ୍ରସ୍ତୁତ କରିବାକୁ କହିଥାନ୍ତି । ଯେହେତୁ ମୁ୍ର୍ମୁ ପଖାଳ ପ୍ରିୟ ତେଣୁ ରାଷ୍ଟ୍ରପତି ଭବନର କିଚେନରେ ଆଗକୁ ଯଦି ପଖାଳ ଓ ସଜନା ଶାଗ ସ୍ଥାନ ପାଏ ସେଥିରେ ଆଶ୍ଟର୍ଯ୍ୟ ହେବାରେ ନାହିଁ  ।

ଆଉ ମଧ୍ୟ ଆଗକୁ ଯଦି ଆପଣ କେବେ କୌଣସି ନାମିଦାମୀ ବ୍ୟାକ୍ତି ରାଷ୍ଟ୍ରପତି ଭବନରେ ପଖାଳ ଖାଇ ତୃପ୍ତ ହେଲେ ବୋଲି ଖବର ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ ନାହିଁ । କାରଣ ପ୍ରତି ରାଷ୍ଟ୍ରପତିଙ୍କ ଅମଳରେ ତାଙ୍କ ନିଜ ରାଜ୍ୟର ଖାଦ୍ୟ ରାଷ୍ଟ୍ରପତି ଭବନ କିଚେନରେ ସ୍ଥାନ ପାଇଥାଏ । ପ୍ରଣବ ମୁଖାର୍ଜୀଙ୍କ ଅମଳରେ ଯଦି ବଙ୍ଗାଳୀ ଖାଦ୍ୟ ରାଷ୍ଟ୍ରପତି ଭବନ ମେନୁରେ ସ୍ଥାନ ପାଇଥିଲା ତେବେ ଦକ୍ଷୀଣ ଭାରତୀୟ ରାଷ୍ଟ୍ରପତିଙ୍କ ଅମଳରେ ଦକ୍ଷିଣ ଭାରତର ସୁସ୍ୱାଦୁ ଖାଦ୍ୟ ମେନୁରେ ସ୍ଥାନ ପାଇଥିଲେ ।

ପିଆଜ ଓ ରସୁଣ ଖାଆନ୍ତି ନାହଁ ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ ନିରାମିଷାଶୀ । ୨୦୧୩ରେ ବଡ଼ପୁଅର ଅଚାନକ ଦେହାନ୍ତ ପରଠାରୁ ଦ୍ରୌପଦୀ ଆମିଷ ଛାଡି଼ ଦେଇଥିଲେ । ସେ ଆମିଶ ଖାଆନ୍ତି ନାହିଁ । କେବଳ ଆମିଷ ନୁହେଁ ସେ ମଧ୍ୟ ପିଆଜ କିମ୍ବା ରସୁଣ ଖାଆନ୍ତି ନାହିଁ । ଶିବଭକ୍ତ ଦ୍ରୌପଦୀ ପାହନ୍ତା ୩.୩୦ରେ ବିଛଣା ଛାଡନ୍ତି । ଏହା ପରେ ଧ୍ୟାନ ଓ ଯୋଗ କରନ୍ତି । ତେବେ ରାଷ୍ଟ୍ରପତି ମୁର୍ମୁ କ’ଣ ଖାଇବାକୁ ପସନ୍ଦ କରନ୍ତି ? ରାଷ୍ଟ୍ରପତିଙ୍କ ଆହାର ବହୁତ ସାଧାରଣ । ସକାଳେ ସେ ଘରେ ଯାହା ଥାଏ ତାକୁ ଜଳଖିଆ ଭାବେ ନେଇଥାନ୍ତି । ଦି’ପହରରେ ଭାତ ଓ ରୁଟି ଖାଆନ୍ତି । ରାତିରେ ଫଳାହାର କରନ୍ତି ।