ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ, ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା

1 min read

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ । ଅନ୍ୟ ବଡ଼ ବଡ଼ ସହର ଭଳି ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା । ଭବିଷ୍ୟତର ଟେକ୍ନୋଲୋଜି ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଜାତୀୟ ସ୍ତରରେ ଟେକ୍ନୋଲୋଜି ଆଡଭାଇଜରୀ ଗ୍ରୁପର ବୈଠକ ବସି ଆଗାମୀ ଯୋଜନା ବାବଦରେ ଆଲୋଚନା କରୁଥିବା ବେଳେ ଓଡ଼ିଶା ସରକାର ବିଶ୍ବର ବଡ଼ ବଡ଼ ସଂସ୍ଥା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଚୁକ୍ତି କଲେଣି । ସ୍ବଚ୍ଛ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ଟିମ୍ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ସହାୟତା ନେବାରେ ଓଡ଼ିଶା ସରକାର ଦେଶରେ ପ୍ରଥମ । ଭୁବନେଶ୍ବରରେ ଡେଲଏଟ, କେପଜେମିନି ଭଳି ଗ୍ଲୋବାଲ ଏମଏନସି ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିବା ବେଳେ ଇନଫୋସିସ୍, ଓ୍ବିପ୍ରୋ ଭଳି କମ୍ପାନୀ କଳେବର ବଢାଉଛନ୍ତି । ତା’ ସାଙ୍ଗକୁ ସିଏସଏମ୍, ତତ୍ତ୍ବ ଟେକ୍ନୋଲୋଜି ଭଳି ଓଡ଼ିଶାର କମ୍ପାନୀ ଏବେ ରାଜ୍ୟ ତଥା ଦେଶ ବାହାରେ କମାଲ କରୁଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ, ପରିବର୍ତ୍ତିତ ପାଣିପାଗ ନିୟନ୍ତ୍ରଣ, କୃଷି, ସ୍ବାସ୍ଥ୍ୟ କ୍ଷେତ୍ରରେ ଭବିଷ୍ୟତ ଟେକ୍ନୋଲୋଜି ବ୍ୟବହାର ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହଜାରେରୁ ଅଧିକ ଓଡ଼ିଆଙ୍କୁ ଆମେରିକାରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶାରେ ଦକ୍ଷ ମାନବସମ୍ବଳ ସାଙ୍ଗକୁ ବ୍ୟାପକ ଭିତ୍ତିଭୂମି ଓ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ବିଦେଶୀ କମ୍ପାନୀମାନେ ଏବେ ରାଜ୍ୟ ମୁହାଁ ହୋଇଛନ୍ତି । ରାଜ୍ୟର 5T ନୀତିରେ ଟେକ୍ନୋଲୋଜି ଜରିଆରେ ଟ୍ରାନ୍ସପରେନ୍ସି ଆଣିବାକୁ ଭରପୂର ଉଦ୍ୟମ ମଧ୍ୟ ହେଉଛି । ଏବେ ବେଙ୍ଗାଲୁରୁ, ହାଇଦ୍ରାବାଦ, ନୋଏଡ଼ା ନୁହେଁ ଟେକ୍ନେଲୋଜି କ୍ଷେତ୍ରର ଗ୍ଲୋବାଲ କମ୍ପାନୀଗୁଡ଼ିକ ଏବେ ଓଡ଼ିଶାକୁ ସବୁଠୁ ପ୍ରିୟ ଡେଷ୍ଟିନେସନ ଭାବେ ବାଛିଲେଣି । ଭବିଷ୍ୟତ ଟେକ୍ନୋଲୋଜିକୁ ଆପଣାଇବାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ ବୋଲି ଆଇଟି ଏକ୍ସପର୍ଟ ମତ ରଖିଛନ୍ତି ।

ସାରା ଦେଶର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟର ବଜେଟ ୧୬ହଜାର ୫ଶହ କୋଟି ଥିବା ବେଳେ ଓଡ଼ିଶାରେ ଏହି ବିଭାଗର ବଜେଟ ୩ହଜାର କୋଟି ଟଙ୍କା, ଯାହା ଜାତୀୟ ସ୍ତର ବଜେଟର ୧୫ଭାଗ । ଏଥିରୁ ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତା ଦର୍ଶାଉଛି ।