ବଢ଼ୁଛି ସଚେତନତା, ଯବାନଙ୍କ ପରେ ପ୍ଲାଜ୍‌ମା ଦାନ ପାଇଁ ଆଗେଇ ଆସୁଛନ୍ତି ସାଧାରଣ ଜନତା

1 min read
Plasma Donor

ବରଗଡ଼/ଜୟପୁର: କରୋନାର ରାମବାଣ ପ୍ଲାଜମା । ରାଜ୍ୟରେ ଏବେ ପ୍ଲାଜମା ଦ୍ୱାରା ସୁସ୍ଥ ହେଉଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ କେବଳ ଯବାନ ନୁହେଁ ସାଧାରଣ ଲୋକେ ବି ଆଗେଇ ଆସିଛନ୍ତି ପ୍ଲାଜମା ଦାନ କରିବାକୁ । କୋରାପୁଟରେ ତୃତୀୟ ବାଟାଲିୟନର ୬ ଜଣ ଯବାନ ଓ ବରଗଡରେ ୨ ଯୁବକ ଦାନ କରିଛନ୍ତି ପ୍ଲାଜମା ।

ଗୁରୁତରଙ୍କୁ ବଞ୍ଚାଇବାକୁ ଆଗେଇ ଆସିଛନ୍ତି ଆଗଧାଡିର ଯୋଦ୍ଧା । କୋରାପୁଟ ତୃତୀୟ ବାଟାଲିୟନର ୫ ଓଡ୍ରାଫ ଯବାନ ଦାନ କଲେ ପ୍ଲାଜମା । ପ୍ରଥମେ ୬ ଜଣଙ୍କ ମଧ୍ୟରୁ ୫ ଜଣ ପ୍ଲାଜମା ଦେଇଥିବା ବେଳେ ଆଉ ଜଣଙ୍କର ନମୂନା ଯାଞ୍ଚ ପାଇଁ ପଠା ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ପ୍ଲାଜମା ଦାନ କରି ବେଶ୍ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ଏହି ଯୋଦ୍ଧାମାନେ । ଅମ୍ଫାନ ସମୟରେ ପଶ୍ଚିମବଙ୍ଗକୁ ସହାୟତା ପାଇଁ ଓଡିଶାରୁ ଯାଇଥିଲେ ଅଗ୍ନିଶମ, ଓଡ୍ରାଫ ଯବାନ । ତେବେ ସେମାନେ ସେଠାରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ ।

ସେପଟେ ମୁଖ୍ୟମନ୍ତୀଙ୍କ ଅପିଲରେ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି ବରଗଡ ଜିଲ୍ଲାର ଦୁଇ ସାଧାରଣ ଯୁବକ । ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ପରେ ସେମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଯୁବକଙ୍କ ଏହି କାର୍ଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମହାମାରୀ ସମୟରେ ମହତ ଉଦ୍ଦେଶ୍ୟ ନେଇ ଲୋକଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସୁଥିବା ଏମାନଙ୍କ କାର୍ଯ୍ୟକୁ ସବୁ ମହଲରେ ବେଶ୍ ପ୍ରଶଂସା କରାଯାଉଛି ।

(ରିପୋର୍ଟର- ଜୟପୁରରୁ ହୃଷୀକେଶ ମିଶ୍ର ଓ ବରଗଡରୁ ହିଂମାଶୁ ନନ୍ଦ)

Leave a Reply