କିର୍ଗିୟୋସଙ୍କୁ ହରାଇ ୱିମ୍ବଲଡନ ଟାଇଟଲ ହାତେଇଲେ ଜୋକୋଭିକ, ୨୧ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ

1 min read

ଲଣ୍ଡନ: ବିଶ୍ୱର ନମ୍ବର ୩ ଟେନିସ ଖେଳାଳି ନୋଭାକ ଜୋକୋଭିକ ୱିମ୍ବଲଡନ ୨୦୨୨ ପୁରୁଷ ଏକକ ଟାଇଟଲ ଜିତିଛନ୍ତି । ରବିବାର ଲଣ୍ଡନରେ ଜୋକୋଭିକ ଏବଂ ନିକ କିର୍ଗିୟୋସଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚାରୋଟି ସେଟରେ ୪-୬, ୬-୩, ୬-୪, ୭-୬ (୭-୩)ରେ ଜୋକୋଭିକ ଏହି ଶେଷ ମ୍ୟାଚ ଜିତିନେଇଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ରୋମାଞ୍ଚକର ମୁକାବିଲା ୩ ଘଣ୍ଟା ଚାଲିଥିଲା । ଆଜିର ବିଜୟକୁ ମିଶାଇ ଜୋକୋଭିକ ୭ଥର ୱିମ୍ବଲଡନ ଟାଇଟଲ ଜିତିଛନ୍ତି ଏବଂ ମୋଟ ୨୧ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି ।

ପ୍ରଥମ ସେଟରେ ଜୋକୋଭିକଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଅନ୍ୟ ତିନୋଟି ସେଟ ଜିତି ଚମ୍ପିଆନ ହୋଇଛନ୍ତି  । ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ଜୋକୋଭିକ ରୋଜର ଫେଡରରଙ୍କୁ ପଛରେ ପକାଇ ଦେଇଛନ୍ତି । ରୋଜର ଫେଡରର ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ  । ତେବେ ୱିମ୍ବଲଡନରେ ମଧ୍ୟ ସେ ୭ଥର ବିଜୟ ହୋଇ ଟାଇଟଲ ଜିତିଛନ୍ତି । ଏହା ପୂର୍ବରୁ ଜୋକୋଭିକ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯ ଏବଂ ୨୦୨୧ରେ ଟାଇଟଲ ହାତେଇଥିଲେ । ଟେନିସ ଜଗତରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ ରାଫେଲ ନାଡାଲ ଜିତିଛନ୍ତି  । ସେ ୨୨ ଥର ଟାଇଟଲ ଜିତି ଶୀର୍ଷରେ ଅଛନ୍ତି ଏବେ ଜୋକୋଭିକ ୨୧ଥର ଜିତି ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି  ।