ଦିଲ୍ଲୀରେ ଥମିବାର ନାଁ ନେଉନି ପ୍ରଦୂଷଣ : ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ :  ଥମୁନି ପ୍ରଦୂଷଣ , ଦିଲ୍ଲୀ ସ୍କୁଲରେ ଆଗୁଆ ଶୀତକାଳୀନ ଅବକାଶ । ପ୍ରଦୂଷଣ ଲାଗି ଆସନ୍ତା ୯ରୁ ୧୮ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ଦିଲ୍ଲୀ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି । ରାଜଧାନୀର ଅଧିକାଂଶ ସ୍ଥାନରେ ବାୟୁର ଗୁଣବତ୍ତା ୪୫୦ ଉପରେ ରହିଛି । ଦିଲ୍ଲୀ ପ୍ରଦୂଷଣର ମାତ୍ରା ରୋକିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ,ଦିଲ୍ଲୀ,ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ନଡା ନଜାଳିବା ପାଇଁ ନିର୍ଦେଶ ଦେଇଥିଲେ ।

ଗତକାଲି ଦିଲ୍ଲୀ ସମେତ ଏହାର ପଡୋଶୀ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । ଏଥି ସହିତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ହଟସ୍ପଟ ସ୍ଥାନଗୁଡ଼ିକରେ ସଫେଇ କାର୍ଯ୍ୟ , କାନ୍ନଟ ପ୍ଲେସରେ ୨୮କୋଟିର ସ୍ମଗ ଟାୱାର ସ୍ଥାପନ, ଧୂଳି କମ୍ କରିବା ପାଉଡର ସହିତ ବ୍ୟାପକ ଜଳ ସିଞ୍ଚନ କରାଯାଉଛି । ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ୧୧୦୦ରୁ ଅଧିକ ଅଧିକାରୀଙ୍କ ସହିତ ୫୧୭ ସର୍ଭେଲାନ୍ସ ଟିମ୍ ନିୟୋଜିତ କରାଯାଇଛି ।

ସେପଟେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୪୫୨ , ଆରକେ ପୁରମରେ ୪୩୩,ପଞ୍ଜାବୀ ବାଗରେ ୪୬୦, ଇଣ୍ଡିଆ ଗେଟରେ ୪୦୦ ରହିଛି । ଗତକାଲି ରାତିରେ ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୯୯୯ ଅତି ସଂକଟାପନ୍ନ ଅବସ୍ଥାରେ ଥିଲା ।