ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ, ପଦ୍ମପୁର ଆସନ ଖାଲି

ଭୁବନେଶ୍ୱର: ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡ଼ିଛି ଏହି ଆସନ । ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ଦିନ ତଳେ ବିଜୟ ରଂଜନ ସିଂ ବରିହାଙ୍କ ମୃତ୍ୟୁ ହୋଇଥିଲା । ୬୫ବର୍ଷ ବୟସରେ ଆଖି ବୁଜିଥିଲେ ବିଜୟ ରଞ୍ଜନ ସିଂ ବରିହା  ।

ବିଜୟ  ଅସୁସ୍ଥତା କାରଣରୁ କିଛିଦିନ ହେଲା  ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ । ୧୯୯୦, ୧ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ ।

ପଶ୍ଚିମ ଓଡ଼ିଶାରେ  ବିଜେଡିର ଜଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଜେଏନୟୁରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ବିଜୟ । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ତଥ୍ୟ ସମ୍ବଳିତ ପ୍ରଶ୍ନ ପଚାରି ଚର୍ଚ୍ଚାରେ ରହି ଆସନ୍ତି ବିଜୟ ରଞ୍ଜନ ସିଂ ବରିହା  । ତାଙ୍କର ମୃତ୍ୟୁରେ ସମଗ୍ର ଓଡ଼ିଶା ସ୍ତମ୍ଭୀଭୁତ ହୋଇଥିବାବେଳେ ଉକ୍ତ ଆସନ ଏବେ ଖାଲି ପଡ଼ିଛି  ।