କିଏ ହେବ ରାଜ୍ୟ ବିଜେପିର ନୂଆ ମୁଖିଆ ? ମନମୋହନ ସାମଲ ନା ନୂଆ ମୁହଁ, କାଲି ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ: ମନମୋହନ ସାମଲଙ୍କୁ ପୁଣି ଥରେ ରାଜ୍ୟ ବିଜେପିର ମଙ୍ଗୁଆଳ ଦାୟିତ୍ଵ ମିଳିବ କି ନା ଆଉ କାହାକୁ ଦିଆଯିବ ସୁଯୋଗ ? ଅନ୍ଯ କେଉଁ ନୂଆ ଯୁବ ମୁହଁ ହେବେ କି ମୁଖିଆ ? ରାଜ୍ୟ ବିଜେପିର ଏମୁଣ୍ଡରୁ ସେମୁଣ୍ଡ ଏବେ ଖାଲି ଏହି ଚର୍ଚ୍ଚା । ରାଜ୍ୟ ବିଜେପି ସଭାପତି ଚୟନ ବାରମ୍ଵାର ଘୁଞ୍ଚିବା ପରେ ଏବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୮ ତାରିଖରେ ଘୋଷଣା ହେବ କିଏ ହେବ ରାଜ୍ୟ ବିଜେପିର ନୂଆ ମୁଖିଆ ।
ବାରମ୍ବାର ତାରିଖ ଗଡ଼ିବା ପରେ ରାଜ୍ୟ ବିଜେପି ସଭାପତି ଚୟନ ପ୍ରକ୍ରିୟା ଆଗେଇଛି । ଦଳୀୟ କାର୍ଯ୍ୟାଳୟରେ ଲାଗିଛି ସଭାପତି ଚୟନର ବିଜ୍ଞପ୍ତି । ଜୁଲାଇ ୭ ତାରିଖରେ ନାମାଙ୍କନ, ୮ ତାରିଖରେ ନିର୍ବାଚନ । ସେହିଦିନ ଅପରାହ୍ନରେ କେନ୍ଦ୍ରୀୟ ନିବାଚନ ଅଧିକାରୀ ସୁନୀଲ ଜୟସ୍ବାଲଙ୍କ ଉପସ୍ଥିତିରେ ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ । ସଭାପତି ନିର୍ବାଚନର ଭୋଟର ତାଲିକା ବି ପ୍ରକାଶିତ ହୋଇଛି । ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ଓ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ, ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ସଭାପତି ନିର୍ବାଚନରେ ନିଜର ମତଦାନ କରିବେ । ଏକାଧିକ ନାମାଙ୍କନ ହେଲେ ନିର୍ବାଚନ ହେବ ।
ସଭାପତି ଚୟନ ପାଇଁ ବିଜ୍ଞପ୍ତି ବାହାରିବା ପରେ ବିଜେପିରେ ଅନେକ ପ୍ରଶ୍ନ । ଦଳୀୟ କନ୍ଦଳ ଯୋଗୁଁ ରାଜ୍ୟ ବିଜେପି ସଭାପତି ଚୟନ ତାରିଖ ବାରମ୍ବାର ଘୁଞ୍ଚିଥିଲା । ପୁରୀ ଦଳାଚକଟା ପାଇଁ ବି ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ସଭାପତିଙ୍କ ନାଁ ଘୋଷଣାର ତାରିଖ ଚୂଡ଼ାନ୍ତ ହୋଇଛି । ମନମୋହନ ସାମଲ କହିଛନ୍ତି, ସଭାପତି ନେଇ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ସହମତି ଭିତ୍ତିରେ ହୋଇପାରେ ସଭାପତି ଚୟନ । ନୂଆ ସଭାପତି ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ଓ ସରକାର ମଧ୍ୟରେ ସମନ୍ବୟ ଉପରେ କାମ କରିବେ ।
ଏବେ ବି ରାଜ୍ୟ ବିଜେପିର ୨୦୦ରୁ ଅଧିକ ମଣ୍ଡଳ ସଭାପତି ଚୟନ ବାକି ଥିବା ବେଳେ ସମ୍ବଲପୁର ଜିଲ୍ଲା ସଭାପତି ନେଇ ସହମତି ହୋଇପାରିନାହିଁ । ବିଜେପି ସରକାରକୁ ଆସିବା ପରେ ସଙ୍ଗଠନ ଏକ ପ୍ରକାର ଠପ୍ ହୋଇଥିବା ବେଳେ ନୂଆ ସଭାପତିଙ୍କ ଆଗରେ ରହିବ ଅନେକ ଆହ୍ବାନ । ସରକାର ଓ ଦଳ ମଧ୍ୟରେ ସମନ୍ବୟ ରଖିବା ହେବ ପ୍ରାଥମିକତା ।