ବିହାର ବିଧାନସଭା ନିର୍ବାଚନ ; ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାହାରିବ ବିଜ୍ଞପ୍ତି

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ବାହାରିବ। ୨୦ ତାରିଖ ହେଉଛି ନାମାଙ୍କନ ଶେଷ ତାରିଖ। ୨୧ରେ ହେବ ଯାଞ୍ଚ । ୨୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ। ଏହି ପର୍ୟ୍ୟାୟର ଭୋଟ ହେବ ୧୧ ତାରିଖରେ। ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଜୋରସୋରରେ ଲାଗିଛନ୍ତି ସବୁ ଦଳ। ଏନଡିଏର ଆସନ ବୁଝାମଣା ଶେଷ। ବିଜେପି ଓ ଜେଡିୟୁ ଲଢିବେ ୧୦୧ ଲେଖାଏ ଆସନରେ। ଲୋକଜନଶକ୍ତି ପାର୍ଟି(ରାମବିଳାସ)କୁ ୨୯ ଆସନ ମିଳିଥିବାବେଳେ ଉପେନ୍ଦ୍ର ଖୁସୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ମିଳିଛି ୬ ଆସନ। ସେହିପରି ଜିତନରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚାକୁ ମିଳିଛି ୬ ଆସନ।ବହୁ ଆଲୋଚନା ପରେ ଅଙ୍କ ଛିଡ଼ିଛି।
ସେପଟେ କିନ୍ତୁ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡୁନି। ଦିନକୁ ଦିନ ଜଟିଳ ହେଉଛି ପ୍ରକ୍ରିୟା। କଂଗ୍ରେସ ଅଧିକ ଆସନ ଦାବି କରୁଥିବାବେଳେ ଆରଜେଡି କଂଗ୍ରେସକୁ ୫୨ ଆସନ ଯାଚିବା ପରେ ସ୍ଥିତି ଅଧିକ ଗୋଳମାଳିଆ ହୋଇଛି। ଏପରିକି ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଥିବା ଚର୍ଚ୍ଚା ହେଉଛି। ସମାଧାନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଲାଲୁ ଯାଦବ ଓ ତେଜସ୍ଵୀ ଯାଦବ। ଗତ ନିର୍ବାଚନରେ ଆରଜେଡି ୧୪୪ ଆସନ, କଂଗ୍ରେସ ୭୦ ଆସନରେ ଲଢିଥିଲେ । ଆରଜେଡି ୭୫ ଆସନରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ ମାତ୍ର ୧୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏଦୃଷ୍ଟିରୁ କଂଗ୍ରେସକୁ ଅଧିକ ଆସନ ଦେବା ଲାଗି ଆରଜେଡି ଚାହୁଁ ନଥିବା ଚର୍ଚ୍ଚା ହେଉଛି । ସେପଟେ ମହାମେଣ୍ଟକୁ ଡେଡଲାଇନ ଦେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ହେମନ୍ତ ସୋରେନ। ଇଣ୍ଡିମେଣ୍ଟ ସହଯୋଗୀ ଭାବେ ଜେଏମଏମ ୧୨ ଆସନରେ ଲଢିବାକୁ ଚାହୁଁଛି। ଝାଡଖଣ୍ଡ ନିର୍ବାଚନରେ ଜେଏମଏମ ଯୋଗୁ କଂଗ୍ରେସ, ଆରଜେଡି, ସିପିଆଇଏମଏଲ ସମ୍ମାନଜନକ ସ୍ଥିତିରେ ଥିଲେ। ତେଣୁ ଏହାର ମୂଲ୍ୟ ବିହାରରେ ପାଇବାକୁ ଚାହୁଁଛି ଜେଏମଏମ।