ଏସସିବିରେ ଡାକ୍ତର ପଦବୀ ପୂରଣ ପାଇଁ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା

କଟକ: ଏସସିବିରେ ପୂରଣ ହେବ ଖାଲି ପଡ଼ିଥିବା ଡାକ୍ତର ପଦବୀ । ଏଥିପାଇଁ ଏସସିବି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଡାକ୍ତରଙ୍କ ସମେତ କୁଶଳୀ ଓ ଅଣ କୁଶଳୀଙ୍କୁ ମିଶାଇ ମୋଟ ୧୬୫ କର୍ମଚାରୀ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି । ଏହା ଜରୁରୀ ଥିଲା, ସରକାର ସରକାରୀ ଡାକ୍ତରଙ୍କ ଦରମା ବୃଦ୍ଧି କରିବା ସହିତ ସବୁ ସ୍ଥାନରେ ଡାକ୍ତର ପଦବୀ ପୂରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ଡାକ୍ତର ଓ ସମ୍ପର୍କୀୟ ।

ଏସସିବିରେ ଡାକ୍ତର ସହ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି । ନିଯୁକ୍ତି ପାଇବେ ୧୬୫ ଟେକ୍ନିକାଲ, ନନ ଟେକ୍ନିକାଲ ଷ୍ଟାଫ୍ । ପୂର୍ବ ଭାରତର ରେଫେରାଲ ହସ୍ପିଟାଲ ଭାବରେ ଦଶନ୍ଧି ଦଶନ୍ଧି ଧରି ରୋଗୀ ଓ ସମ୍ପର୍କୀୟଙ୍କ ବିଶ୍ୱାସ ଜିତି ଆସିଛି କଟକ ଏସସିବି ମେଡିକାଲ । ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଆହୁରି ସଶକ୍ତ ହେବ ମେଡିକାଲ । ଏସସିବିର ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ସମେତ ୧୬୫ ପଦବୀ ପୂରଣ ପାଇଁ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି । ପ୍ରତି ମାସ ୧୨ ତାରିଖରେ ଏନେଇ ସ୍ପଷ୍ଟ ସିଲେକ୍ସନ ଓ ନିଯୁକ୍ତି ହେବ । ଏହାଦ୍ଵାରା ବିଭିନ୍ନ ବିଭାଗର ଆବଶ୍ୟକତା ପୂରଣ ହେବା ସହିତ ଚିକତ୍ସା ସେବା ତ୍ୱରାନ୍ୱିତ ହେବ ବୋଲି ଏସସିବି ଅଧିକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

ଏସସିବି ବଡ ମେଡିକାଲର କାଜୁଏଲଟି ଓପିଡିକୁ ପ୍ରତିଦିନ ୭ରୁ ୮ ହଜାର ରୋଗୀ ଓ ସମ୍ପର୍କୀୟ ଚିକିତ୍ସା ପାଇଁ ଆସୁଛନ୍ତି । ଉତ୍ତମ ଚିକିତ୍ସା ମିଳୁଥିଲେ ସୁଦ୍ଧା ଅନେକ ସମୟରେ ଡାକ୍ତର ଅଭାବ ଯୋଗୁଁ ଅସୁବିଧା ହେଉଛି । କର୍ମଚାରୀ କମ ଥିବାରୁ ରୋଗୀଙ୍କୁ ନେବା ଆଣିବରେ ମଧ୍ୟ ସମସ୍ୟା ହେଉଛି । ତେଣୁ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟ ।

ସରକାରୀ ଖର୍ଚ୍ଚରେ ପଢି ଡାକ୍ତର ହେଉଥିବା ବ୍ୟକ୍ତି ଅଧିକ ଟଙ୍କା ପାଇଁ ବାହାରକୁ ଚାଲି ଯାଉଛନ୍ତି । ତେଣୁ ସେମାନଙ୍କୁ ଅଧିକ ପରିଶ୍ରମିକ ଦେବା ସହିତ ସବୁ ସ୍ଥାନରେ ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ।