ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଡାକ୍ତରଙ୍କ ଦେଖା

1 min read

ନନ୍ଦିଘୋଷ ବ୍ୟୁରୋ: ଦକ୍ଷିଣ ଓଡିଶାର ରେଫରାଲ ମେଡିକାଲ ଏମକେସିଜିରେ ଡାକ୍ତର ଅଭାବ । ଆଉ ଏଭଳି ପରିସ୍ଥିତିରେ ମେଡିକାଲର ୭ ଜଣ ଡାକ୍ତର କେଉଁଆଡେ ଚାଲିଯିବା ଘଟଣା ଆହୁରି ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ୭ ଜଣ ଡାକ୍ତର କୁଆଡେ ଗଲେ ତାର ଉତ୍ତର କାହା ପାଖରେ ନଥିବା ବେଳେ ନୋଟିସ ପରେ ନୋଟିସ ଦେଇ ଚୁପ ବସିଛି ସ୍ବାସ୍ଥ୍ୟ ବିଭାଗ ।

କୁଆଡ଼େ ଗଲେ ଡାକ୍ତର । ମାସେ କି ବର୍ଷେ ନୁହେଁ, ବର୍ଷ ବର୍ଷଧରି ନିଖୋଜ । ସ୍ବାସ୍ଥ୍ଯ ବିଭାଗର ନୋଟିସ ସତ୍ତ୍ବେ ମିଳୁନି ଦେଖା । ଚିକିତ୍ସକଙ୍କ ଅଭାବ ଯୋଗୁ ଅଡୁଆରେ ଏମକେସିଜି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକାଧିକ ଡାକ୍ତର ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି । ୨୦୧୬ ରୁ ୨୦୨୩ ମଧ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୭ ଜଣ ଡାକ୍ତର ଡାକ୍ତରଖାନାକୁ ଆସିନାହାନ୍ତି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ନୋଟିସ ପରେ ମଧ୍ଯ କୌଣସି ଉତ୍ତର ଦେଉନାହାନ୍ତି । ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ମୋଟ ୧୪ ଜଣ ଡାକ୍ତର ଦୀର୍ଘବର୍ଷ ହେବ ଅନୁପସ୍ଥିତ ଥିବା ସ୍ବାସ୍ଥ୍ଯ ବିଭାଗ ନୋଟିସରୁ ଜଣାପଡ଼ିଛି ।

ସେମାନଙ୍କ ମଧ୍ଯରୁ ଏମକେସିଜି ମେଡିକାଲର ୭ ଜଣ ନିଖୋଜ ଅଛନ୍ତି । ନ୍ୟୁରୋ ସର୍ଜରୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. ରାମଚନ୍ଦ୍ର ଦେଓ ୨୦୧୬ରୁ ଓ କର୍ଣ୍ଣ ନାଶା ଓ ଗଳା ରୋଗ ବିଭାଗର ଡା. ବିମରଜିତ ପ୍ରଧାନ ୨୦୧୬ରୁ ଅନୁପସ୍ଥିତ । ରେଡିଓ ଡାଏଗ୍ନୋଷ୍ଟିକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥୂବା ବେଳେ ଡା. ସୁନିତା ସାହୁ ୨୦୧୮ ନଭେମ୍ବରରୁ ଗାଏବ । ସାଧାରଣ ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏଲ୍ ରବି କୁମାର ୨୦୨୦ ଅକ୍ଟୋବର ମାସରୁ ଅନୁପସ୍ଥିତ । ରେଡିଓଥେରାପି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ଚୈତାଳି ବୋଷ ୨୦୨୧ ମେ ମାସ ଠାରୁ ଗାଏବ ଥିବାବେଳେ ଫିଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ମୁଣ୍ଡା ୨୦୨୧ ଜାନୁଆରୀ ଓ ଫିଜିଓଲୋଜି ବିଭାଗର ପ୍ରଫେସର ସଂଗୀତା କର ୨୦୨୩ ଜୁଲାଇ ମାସରୁ ନିଖୋଜ।

ଦୀର୍ଘବର୍ଷ ଧରି ଗାଏବ ଥିବା ଏହି ଡାକ୍ତରଙ୍କ ବିରୋଧରେ ନୋଟିସ ଜାରି କରିବାକୁ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଓ ପ୍ରସାରଣ ବିଭାଗକୁ ଚିଠି ହୋଇଥିଲା । ସମସ୍ତଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଥିଲା । ଅବଧି ସରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିବା MKCG ଡିନ ତଥା ଅଧ୍ଯକ୍ଷ ପ୍ରଫେସର ଡା. ସୁଚିତ୍ରା ଦାସ ଦେଇ ନଥିବା କହିଛନ୍ତି । ଏକାଧିକ ଡାକ୍ତର କଟକ ସହ ଅନ୍ୟାନ୍ୟ ସ୍ଥାନରେ ରହି କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ବ୍ରହ୍ମପୁରର କିଛି ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ଡାକ୍ତରଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।