ତଥ୍ୟ ଲିକକୁ ନେଇ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଆପଲକୁ ନୋଟିସ

ନନ୍ଦିଘୋଷ ବ୍ୟୁରୋ : ସବୁଠୁ ସୁରକ୍ଷିତ କୁହାଯାଉଥିବା ଆପଲ ଫୋନ କିପରି ହ୍ୟାକ ହେବ ? ଆପଲ ଫୋନ ହ୍ୟାକ ଆଶଂକା ପଛରେ ସରକାରଙ୍କ ହାତ ରହିଛି ବୋଲି କିପରି ନିଷ୍କର୍ସରେ ପହଞ୍ଚିଲ ? କେଉଁ ଆଧାରରେ ଏପରି ପରିଣାମ ନେଇ ନିଶ୍ଚିତ ହେଲ ? ଅଜଣା ଜାଗାରୁ ରହି କିପରି ଏହାକୁ ଆକ୍ସେସ କରାଯାଇପାରିବ ବୋଲି ନିଶ୍ଚିତ ହେଲ ? ସମ୍ବେଦନଶୀଳ ତଥ୍ୟ ଲିକ କେମିତି ହୋଇଯିବ ? ଏପରି କିଛି ପ୍ରଶ୍ନର ଉତ୍ତର ଜାଣିବାକୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ଆପଲକୁ ନୋଟିସ ପଠାଇଛି  । ନୋଟିସର ତୁରନ୍ତ ଉତ୍ତର ଦେବାକୁ କୁହାଯାଇଛି  । ଆପଲ ସରକାରୀ ପ୍ରାୟୋଜିତ ହ୍ୟାକିଂ ନେଇ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମେସେଜ ପଠାଇଥିଲା  । ଏହାକୁ ନେଇ ବିରୋଧୀ ଦଳ ନେତା ତମ୍ବିତୋଫାନ କରିଥିଲେ  । କେନ୍ଦ୍ର ସରକାର ଜାଣିଶୁଣି ହ୍ୟାକ କରି ଡାଟା ଲିକ ପାଇଁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ଆଣିଥିଲେ  । ଏହାପରେ ଆଜି କେନ୍ଦ୍ର ସରକାର ଅଧିକ ତଥ୍ୟ ଜାଣିବାକୁ ଆପଲକୁ ନୋଟିସ ପଠାଇଛନ୍ତି  । ମେସେଜ ଆସିଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମେତ କଂଗ୍ରେସ ସାଂସଦ ଶଶୀ ଥରୁର, ପବନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  ।iPhone hacking: Many politicians claim their phones hacked, so how safe are  iPhones and what is Apple warning - India Today

ସେମାନଙ୍କ ଆପଲ ଫୋନକୁ ଆସିଥିବା ମେସେଜର ସ୍କ୍ରିନସଟ ସେୟାର କରିଥିଲେ  । ଆପ ସାଂସଦ ରାଘବ ଚଡ୍ଢା, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଏମ ମହାସିଚବ ସୀତାରାମ ୟେଚୁରୀ, ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓୱେସୀଙ୍କ ଫୋନକୁ ମଧ୍ୟ ମେସେଜ ଆସିଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ  । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଥିଲେ  । ଏହାପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସଫେଇ ଦେଇ କହିଥିଲେ ସରକାର ଏ ନେଇ ଚିନ୍ତିତ ଅଛନ୍ତି  । ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଆପଲ ମଧ୍ୟ ସଫେଇ ଦେଇଥିଲା  । କହିଥିଲା, ଖାଲି ଭାରତରେ ନୁହେଁ ଏଭଳି ମେସେଜ ୧୫୦ଟି ଦେଶରେ ଆଇଫୋନ ବ୍ୟବହାର କରୁଥିବା ଗ୍ରାହକକୁ ପଠାଯାଇଛି  । କିନ୍ତୁ ସରକାରୀ ପ୍ରାୟୋଜିତ ହ୍ୟାକିଂକୁ ନେଇ କିଛି ସ୍ପଷ୍ଟ କରିନଥିଲା ଆପଲ ।