ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ତମାଖୁ ବିଜ୍ଞାପନ ପାଇଁ ନୋଟିସ୍

ନୂଆଦିଲ୍ଲୀ: ଅଡୁଆରେ ବି ଟାଉନର ତିନି ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ । କେତେକ ତମାଖୁ କମ୍ପାନୀ ଲାଗି ପ୍ରଚାର କରିଥିବା ଅଭିଯୋଗରେ ତିନି ଜଣଙ୍କୁ ନୋଟିସ୍ । ନୋଟିସ ଜାରି କଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ । ଏନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ମୌ ବେଞ୍ଚକୁ ଏକ ପିଟିସନ ଜରିଆରେ ସୂଚନା ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ ।

ସ୍ବାସ୍ଥ୍ୟ ପକ୍ଷେ ହାନିକାରକ କେତେକ ସାମଗ୍ରୀର ପ୍ରଚାର କରିବା ଉଦ୍ଦେଶ୍ୟରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ପଦକ୍ଷେପକୁ ନେଇ ଏକ ପିଟିସନ ଦାୟର କରିଥିଲେ ଆଡଭୋକେଟ ମୋତିଲା ଯାଦବ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିକଟରେ କହିଛନ୍ତି ଡେପୁଟି ସଲିସିଟର ଜେନେରାଲ ।

ଏହାସହ ଏକ ତମାଖୁ କମ୍ପାନୀ ବିରୋଧରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି ସେ କହିଛନ୍ତି । କଣ୍ଟ୍ରାକ୍ଟ ସରିଯାଇଥିଲେ ମଧ୍ୟ କମ୍ପାନୀ ଏକ ବିଜ୍ଞାପନ ପ୍ରସାରିତ କରିଥିବା ଅଭିଯୋଗରେ ଅମିତାଭ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ବର୍ଷ ମେ’ ୯ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।