ଜଘନ୍ୟ ଦୁଷ୍କର୍ମଠୁ କୌଣସି ଗୁଣରେ କମ୍ ନୁହେଁ ଜାତିପ୍ରଥା….

1 min read

ନୂଆଦିଲ୍ଲୀ  : ଉତ୍ତର ପ୍ରଦେଶର ହସରତଠାରେ ୧୯ ବର୍ଷୀୟ ଦଳିତ ଝିଅର ଗଣଦୁଷ୍କର୍ମ ଘଟଣା ସାରା ଦେଶର ସାମାଜିକ ଜୀବନକୁ ମାନସିକଭାବେ ଗଭୀର ପ୍ରଭାବିତ କରିଛି । ଝିଅଟି କେବଳ ଗଣଦୁଷ୍କର୍ମର ଶୀକାର ହେଲା ତାହା ନୁହେଁ, ପରବର୍ତ୍ତୀ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ବଞ୍ଚିତ ହେଲା । ଯେଉଁ ସମୟରେ ସେ ପୋଲିସର ସହାୟତା ଆବଶ୍ୟକତା କରୁଥିଲା, ତାହା ମଧ୍ୟ ପାଇଲା ନାହିଁ । ନ୍ୟାୟ ନିସାବ ହେବା ଆଗରୁ ଏ ଦୁନିଆରୁ ଚାଲିଗଲା । ଚାଲିଯିବା ପରେ ତା ଶବ ପରିଜନଙ୍କ ଇଚ୍ଛା ବିନା ଦାହ କରାଗଲା ।

UP rape case

ଏହି ଘଟଣାଟି ଏଭଳି ଜଘନ୍ୟ ଯେ ଏହାର ବର୍ଣ୍ଣନା ଅନାବଶ୍ୟକ । ପ୍ରତିଟି ମୂହୁର୍ତ୍ତ ଯେମିତି ବିତିଯାଉଛି, ହସରତ ଘଟଣାର ଘୃଣ୍ୟର ନୂଆ ନୂଆ ଫର୍ଦ୍ଦ ଲୋକଲୋଚନକୁ ଆସିବାରେ ଲାଗିଛି । ବରିଷ୍ଠ ସାମ୍ବାଦିକା ରୋହିଣୀ ସିଂ ଏ ସମ୍ପର୍କରେ ନିଜ ଟୁଇଟରେ ଅନେକ ତଥ୍ୟା ରଖିବା ସହ ସେହି ଘଟଣାକୁ ରିପୋର୍ଟିଂ କରିଥିବା ଖବରଦାତାଙ୍କର ଏକାଧିକ ଟୁଇଟ୍ କୁ ରିଟୁଇଟ୍ ମଧ୍ୟ କରିଛନ୍ତି ।

ଏହି ଜଘନ୍ୟ ଅପରାଧ ପଛରେ ଆଉ ଏକ ଘୃଣ୍ୟ ପ୍ରଥା ମଧ୍ୟ ଆଢୁଆଳରେ କାହିଁ କେତେ କାଳରୁ ରହିଆସିଛି । ତାହା ହେଉଛି ଜାତିପ୍ରଥା । ସେହି ହସରଥର ଜନୈକ ମହିଳାଙ୍କ କହିବାନୁଯାୟୀ, ଅଜାଣତରେ ଖେଳିବା ସମୟରେ ଜଣେ ଠାକୁର ସମ୍ପ୍ରଦାୟର ପିଲାଟିର ଖାଦ୍ୟରେ ହାତ ମାରି ଦେଇଥିଲା ଦଳିତ ପିଲା । ବାସ୍ ଏହା ପରେ ସେହି ଠାକୁର ସମ୍ପ୍ରଦାୟ ଅନ୍ୟ କେତେକ ଜଣ ଏକାଠି ହୋଇ ସେହି ପିଲାକୁ ମାରିଥିଲେ । ତା ଘରେ ପଶି ଭଙ୍ଗାରୁଜା କରିଥିଲେ । ଆଉ ବାରମ୍ବାର କହୁଥିଲେ ଦଳିତ ପିଲାର ସ୍ପର୍ଶରେ ତାଙ୍କ ଖାଦ୍ୟ ଅପବିତ୍ର ହୋଇଗଲା । ସତରେ ଦଳିତ ପିଲାର ଛୁଆଁରେ ଖାଦ୍ୟ ଅପବିତ୍ର ହୋଇ ଯାଉଛି । ହେଲେ ସେହି ସମ୍ପ୍ରଦାୟ ଲୋକଙ୍କୁ ବାଡେଇଲେ ଅତ୍ୟାଚାର କଲେ କେଉଁ ପୁଣ୍ୟ ମିଳୁଛି । ଏହି ଘଟଣା ସମ୍ପର୍କରେ ଇସମତ ଆରା ନିଜ ଟୁଇଟରେ ପ୍ରକାଶ କରିଥିଲେ ।

ଅନୁରୂପଭାବେ ୟୁପିର ସେହି ଗାଁରେ ଆହୁରି  ଏକ ଖରାପ ପ୍ରଥା ପ୍ରଚଳିତ ରହିଛି । କେତେବେଳ କୌଣସି ଉତ୍ସବ ହେଲେ ଠାକୁରମାନଙ୍କ ଘରେ ବଳି ଯାଇଥିବା ଖାଦ୍ୟକୁ ଖାଇବା ପାଇଁ ଦଳିତ ପିଲାଙ୍କୁ ଡକାଯାଇଥାଏ । ଘରର ସବୁଠୁ ଅପରିଷ୍କାର କୋଣରେ ତାଙ୍କୁ ବସିବାକୁ କୁହାଯାଇଥାଏ । ନ ହେଲେ କେତେବେଳ ଛାତ ଉପରୁ ଖାଦ୍ୟ ଫୋପାଡି ଦିଆଯାଏ, ସେହି ଖାଦ୍ୟ ତଳେ ଆସି ପଡିଥାଏ । ଆଉ ତାକୁ ଖାଇ ଥାଆନ୍ତି ଅସବର୍ଣ୍ଣ । ଏପରି କରାଯାଇଥାଏ କାରଣ ଠାକୁରମାନଙ୍କ ପାଇଁ ସେମାନେ ଅଛୁଆଁ ଏବଂ ତାଙ୍କୁ ଅପବିତ୍ର କରି ଦେଉଥିବା ମଣିଷ ।

ସେହି ୟୁପିର ଆଉ ଜଣେ ମାଆ କୁହନ୍ତି ଯେ, ତାଙ୍କ ପୁଅ ସନ୍ନି ଗାଁର କେଉଁ ଏକ ସ୍ଥାନରେ ବସିଥିଲା । ହଠାତ ଠାକୁର ସମ୍ପ୍ରଦାୟର ପିଲାମାନେ ଆସିଲେ, ସେମାନେ ପୂର୍ବରୁ ବସୁଥିବା ସ୍ଥାନରେ କାହିଁକି ନୀଚ୍ଚ ଜାତିର ହୋଇ ବସୁଛି ବୋଲି କହି ମାରିବାକୁ ଲାଗିଲେ । ସତରେ ସ୍ୱାଧୀନ ଆହାର, ସ୍ୱାଧୀନ ବିହାର, ସ୍ୱାଧୀନତା ଆମର ଜନ୍ମ ଅଧିକାର ଏହି ଉକ୍ତି ସତେ କେତେ ଉପହେସିତ ହୋଇଯାଏ ।

ଆଉ ଜଣେ ବର୍ଷିୟାନ ବ୍ୟକ୍ତି କୁହନ୍ତି ଯେ, ଦୁଇ ଦଶନ୍ଧିର ତଳର କଥା । ତାଙ୍କ ଭାଇ ଠାକୁରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ହାତର ଆଙ୍ଗୁଠି କାଟି ଦିଆଯାଇଥିଲା । ଏମିତି ଅନେକ ସତର ଅବତାରଣା । ଆଜି ହସରଥ ଘଟଣାଟି ହୋଇଛି ବୋଲି ଏ ସବୁର ସ୍ମୃତି ରୋମନ୍ଥନ ଚାଲିଛି । ଦିନ କେଇଟାପରେ ଏହାକୁ ଭୁଲିବାକୁ ଆମକୁ କେତେ ବା ସମୟ ଲାଗିବ ଯେ । କେବଳ ଠାକୁର ମାନେ ଯେ ବଳାତ୍କାର କରୁଛନ୍ତି ତାହା ନୁହେଁ ,  ସବର୍ଣ୍ଣ ବ୍ରାହ୍ମଣ, କାୟସ୍ଥ, କ୍ଷେତ୍ରୀୟ, ଖଣ୍ଡାୟତ,ବୈଶ୍ୟ ଏବଂ ଶୁଦ୍ରଙ୍କ ଦ୍ୱାରା ବିଭିନ୍ନ ସମୟରେ ନୀଚ୍ଚ ଜାତିର ଝିଅମାନଙ୍କୁ ଏମିତି ଦୁଷ୍କର୍ମ କରାଯାଇଥିବା ହଜାର ହଜାର ଉଦାହରଣ ରହିଛି । ହେଲେ ଏସବୁ ପରେ ବି ଦଳିତ ସମ୍ପଦ୍ରାୟ ବିରୋଧରେ ଏ ପ୍ରକାର ହିଂସା ସର୍ବାଧିକ ସଂଘଠିତ ହୋଇଥିବା ବିଭିନ୍ନ ସରକାରୀ ତଥ୍ୟ କହୁଛି । ତେଣୁ ଘୃଣ୍ୟ ନାରୀ ବିରୋଧୀ ମାନସିକତା ସହ ଜାତିପ୍ରଥାର ମାନସିକତାରୁ ମୁକ୍ତି ନ ହେଲେ, ଏପରି ଘଟଣାର ପୁନରାବୃତ୍ତି ଯେ ହୋଇ ଚାଲିଥିବ, ଏଥିରେ ସନ୍ଦେହ ନାହିଁ ।

Leave a Reply