ଜଘନ୍ୟ ଦୁଷ୍କର୍ମଠୁ କୌଣସି ଗୁଣରେ କମ୍ ନୁହେଁ ଜାତିପ୍ରଥା….
1 min readନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ହସରତଠାରେ ୧୯ ବର୍ଷୀୟ ଦଳିତ ଝିଅର ଗଣଦୁଷ୍କର୍ମ ଘଟଣା ସାରା ଦେଶର ସାମାଜିକ ଜୀବନକୁ ମାନସିକଭାବେ ଗଭୀର ପ୍ରଭାବିତ କରିଛି । ଝିଅଟି କେବଳ ଗଣଦୁଷ୍କର୍ମର ଶୀକାର ହେଲା ତାହା ନୁହେଁ, ପରବର୍ତ୍ତୀ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ବଞ୍ଚିତ ହେଲା । ଯେଉଁ ସମୟରେ ସେ ପୋଲିସର ସହାୟତା ଆବଶ୍ୟକତା କରୁଥିଲା, ତାହା ମଧ୍ୟ ପାଇଲା ନାହିଁ । ନ୍ୟାୟ ନିସାବ ହେବା ଆଗରୁ ଏ ଦୁନିଆରୁ ଚାଲିଗଲା । ଚାଲିଯିବା ପରେ ତା ଶବ ପରିଜନଙ୍କ ଇଚ୍ଛା ବିନା ଦାହ କରାଗଲା ।
ଏହି ଘଟଣାଟି ଏଭଳି ଜଘନ୍ୟ ଯେ ଏହାର ବର୍ଣ୍ଣନା ଅନାବଶ୍ୟକ । ପ୍ରତିଟି ମୂହୁର୍ତ୍ତ ଯେମିତି ବିତିଯାଉଛି, ହସରତ ଘଟଣାର ଘୃଣ୍ୟର ନୂଆ ନୂଆ ଫର୍ଦ୍ଦ ଲୋକଲୋଚନକୁ ଆସିବାରେ ଲାଗିଛି । ବରିଷ୍ଠ ସାମ୍ବାଦିକା ରୋହିଣୀ ସିଂ ଏ ସମ୍ପର୍କରେ ନିଜ ଟୁଇଟରେ ଅନେକ ତଥ୍ୟା ରଖିବା ସହ ସେହି ଘଟଣାକୁ ରିପୋର୍ଟିଂ କରିଥିବା ଖବରଦାତାଙ୍କର ଏକାଧିକ ଟୁଇଟ୍ କୁ ରିଟୁଇଟ୍ ମଧ୍ୟ କରିଛନ୍ତି ।
The police itself filed a gang rape FIR after the statement of the dying victim. The PM report refers to ‘tears in her private parts.’ The same report says she died because of “injury to the cervical spine by indirect blunt trauma” and not strangulation.https://t.co/2MypSUTBVE https://t.co/COOvy58LCA
— Rohini Singh (@rohini_sgh) October 1, 2020
ଏହି ଜଘନ୍ୟ ଅପରାଧ ପଛରେ ଆଉ ଏକ ଘୃଣ୍ୟ ପ୍ରଥା ମଧ୍ୟ ଆଢୁଆଳରେ କାହିଁ କେତେ କାଳରୁ ରହିଆସିଛି । ତାହା ହେଉଛି ଜାତିପ୍ରଥା । ସେହି ହସରଥର ଜନୈକ ମହିଳାଙ୍କ କହିବାନୁଯାୟୀ, ଅଜାଣତରେ ଖେଳିବା ସମୟରେ ଜଣେ ଠାକୁର ସମ୍ପ୍ରଦାୟର ପିଲାଟିର ଖାଦ୍ୟରେ ହାତ ମାରି ଦେଇଥିଲା ଦଳିତ ପିଲା । ବାସ୍ ଏହା ପରେ ସେହି ଠାକୁର ସମ୍ପ୍ରଦାୟ ଅନ୍ୟ କେତେକ ଜଣ ଏକାଠି ହୋଇ ସେହି ପିଲାକୁ ମାରିଥିଲେ । ତା ଘରେ ପଶି ଭଙ୍ଗାରୁଜା କରିଥିଲେ । ଆଉ ବାରମ୍ବାର କହୁଥିଲେ ଦଳିତ ପିଲାର ସ୍ପର୍ଶରେ ତାଙ୍କ ଖାଦ୍ୟ ଅପବିତ୍ର ହୋଇଗଲା । ସତରେ ଦଳିତ ପିଲାର ଛୁଆଁରେ ଖାଦ୍ୟ ଅପବିତ୍ର ହୋଇ ଯାଉଛି । ହେଲେ ସେହି ସମ୍ପ୍ରଦାୟ ଲୋକଙ୍କୁ ବାଡେଇଲେ ଅତ୍ୟାଚାର କଲେ କେଉଁ ପୁଣ୍ୟ ମିଳୁଛି । ଏହି ଘଟଣା ସମ୍ପର୍କରେ ଇସମତ ଆରା ନିଜ ଟୁଇଟରେ ପ୍ରକାଶ କରିଥିଲେ ।
ଅନୁରୂପଭାବେ ୟୁପିର ସେହି ଗାଁରେ ଆହୁରି ଏକ ଖରାପ ପ୍ରଥା ପ୍ରଚଳିତ ରହିଛି । କେତେବେଳ କୌଣସି ଉତ୍ସବ ହେଲେ ଠାକୁରମାନଙ୍କ ଘରେ ବଳି ଯାଇଥିବା ଖାଦ୍ୟକୁ ଖାଇବା ପାଇଁ ଦଳିତ ପିଲାଙ୍କୁ ଡକାଯାଇଥାଏ । ଘରର ସବୁଠୁ ଅପରିଷ୍କାର କୋଣରେ ତାଙ୍କୁ ବସିବାକୁ କୁହାଯାଇଥାଏ । ନ ହେଲେ କେତେବେଳ ଛାତ ଉପରୁ ଖାଦ୍ୟ ଫୋପାଡି ଦିଆଯାଏ, ସେହି ଖାଦ୍ୟ ତଳେ ଆସି ପଡିଥାଏ । ଆଉ ତାକୁ ଖାଇ ଥାଆନ୍ତି ଅସବର୍ଣ୍ଣ । ଏପରି କରାଯାଇଥାଏ କାରଣ ଠାକୁରମାନଙ୍କ ପାଇଁ ସେମାନେ ଅଛୁଆଁ ଏବଂ ତାଙ୍କୁ ଅପବିତ୍ର କରି ଦେଉଥିବା ମଣିଷ ।
ସେହି ୟୁପିର ଆଉ ଜଣେ ମାଆ କୁହନ୍ତି ଯେ, ତାଙ୍କ ପୁଅ ସନ୍ନି ଗାଁର କେଉଁ ଏକ ସ୍ଥାନରେ ବସିଥିଲା । ହଠାତ ଠାକୁର ସମ୍ପ୍ରଦାୟର ପିଲାମାନେ ଆସିଲେ, ସେମାନେ ପୂର୍ବରୁ ବସୁଥିବା ସ୍ଥାନରେ କାହିଁକି ନୀଚ୍ଚ ଜାତିର ହୋଇ ବସୁଛି ବୋଲି କହି ମାରିବାକୁ ଲାଗିଲେ । ସତରେ ସ୍ୱାଧୀନ ଆହାର, ସ୍ୱାଧୀନ ବିହାର, ସ୍ୱାଧୀନତା ଆମର ଜନ୍ମ ଅଧିକାର ଏହି ଉକ୍ତି ସତେ କେତେ ଉପହେସିତ ହୋଇଯାଏ ।
ଆଉ ଜଣେ ବର୍ଷିୟାନ ବ୍ୟକ୍ତି କୁହନ୍ତି ଯେ, ଦୁଇ ଦଶନ୍ଧିର ତଳର କଥା । ତାଙ୍କ ଭାଇ ଠାକୁରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ହାତର ଆଙ୍ଗୁଠି କାଟି ଦିଆଯାଇଥିଲା । ଏମିତି ଅନେକ ସତର ଅବତାରଣା । ଆଜି ହସରଥ ଘଟଣାଟି ହୋଇଛି ବୋଲି ଏ ସବୁର ସ୍ମୃତି ରୋମନ୍ଥନ ଚାଲିଛି । ଦିନ କେଇଟାପରେ ଏହାକୁ ଭୁଲିବାକୁ ଆମକୁ କେତେ ବା ସମୟ ଲାଗିବ ଯେ । କେବଳ ଠାକୁର ମାନେ ଯେ ବଳାତ୍କାର କରୁଛନ୍ତି ତାହା ନୁହେଁ , ସବର୍ଣ୍ଣ ବ୍ରାହ୍ମଣ, କାୟସ୍ଥ, କ୍ଷେତ୍ରୀୟ, ଖଣ୍ଡାୟତ,ବୈଶ୍ୟ ଏବଂ ଶୁଦ୍ରଙ୍କ ଦ୍ୱାରା ବିଭିନ୍ନ ସମୟରେ ନୀଚ୍ଚ ଜାତିର ଝିଅମାନଙ୍କୁ ଏମିତି ଦୁଷ୍କର୍ମ କରାଯାଇଥିବା ହଜାର ହଜାର ଉଦାହରଣ ରହିଛି । ହେଲେ ଏସବୁ ପରେ ବି ଦଳିତ ସମ୍ପଦ୍ରାୟ ବିରୋଧରେ ଏ ପ୍ରକାର ହିଂସା ସର୍ବାଧିକ ସଂଘଠିତ ହୋଇଥିବା ବିଭିନ୍ନ ସରକାରୀ ତଥ୍ୟ କହୁଛି । ତେଣୁ ଘୃଣ୍ୟ ନାରୀ ବିରୋଧୀ ମାନସିକତା ସହ ଜାତିପ୍ରଥାର ମାନସିକତାରୁ ମୁକ୍ତି ନ ହେଲେ, ଏପରି ଘଟଣାର ପୁନରାବୃତ୍ତି ଯେ ହୋଇ ଚାଲିଥିବ, ଏଥିରେ ସନ୍ଦେହ ନାହିଁ ।