ଚୀନରେ କକଟେଲ ଭୂତାଣୁ ଆତଙ୍କ, ଅନ୍ତୁଡିଶାଳରେ ଏକକାଳୀନ ୪ ଭାରିଆଣ୍ଟର ତାଣ୍ଡବ

1 min read

ବେଜିଂ: ଚୀନରେ କକଟେଲ ଭାଇରସ ଆତଙ୍କ । ଗତ କିଛି ସପ୍ତାହ ଧରି ଚୀନରେ ଭୟାବହ ରୂପ ଧାରଣ କରିଥିବା କରୋନା ଭୂତାଣୁକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । କରୋନା ଅନ୍ତୁଡିଶାଳରେ ଗୋଟିଏ ନୁହେଁ କୋଭିଡର ୪ଟି ଭାରିଆଣ୍ଟ ଦେଖାଯାଇଛି । ଏକକାଳୀନ ୪ଟି ଭାରିଆଣ୍ଟର ଆକ୍ରମଣ ଯୋଗୁ ସ୍ଥିତି ସାଂଘାତିକ ହୋଇଛି । କକଟେଲ ଭୂତାଣୁ ଚୀନରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଢେର ଗୁଣା ବଢ଼ାଇ ଦେଇଛି । ଏନେଇ ସେଠାକାର ମହାମାରୀ ବିଶେଷଜ୍ଞ ସୂଚନା ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର କୋଭିଡ ପ୍ୟାନେଲ ମୁଖ୍ୟ ଏନ କେ ଆରୋରା ।

ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧୫ ପ୍ରତିଶତ BF-7 ଭୂତାଣୁରେ ସଂକ୍ରମିତ । ପ୍ରାୟ ୫୦% BN ଓ BQ ସିରିଜ ଭାରିଆଣ୍ଟରେ ଆକ୍ରାନ୍ତ ଓ SVV ଭାରିଆଣ୍ଟରେ ୧୦ରୁ ୧୫ ପ୍ରତିଶତ ସଂକ୍ରମିତ ହେଉଛନ୍ତି । ତେବେ ଭାରତରେ କରୋନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଲହର ପରେ ଅନେକଙ୍କଠାରେ ରୋଗ ପ୍ରତିରେଧକ ଶକ୍ତି ବୃଦ୍ଧି ପାଇଛି । ଏହାଛଡ଼ା ଭାରତରେ ଦିଆଯାଇଥିବା କରୋନା ଭ୍ୟାକସିନ ଚୀନ ଭ୍ୟାକସିନ ତୁଳନାରେ ଅତ୍ୟଧିକ ପ୍ରଭାବଶାଳୀ ବୋଲି କେନ୍ଦ୍ର କୋଭିଡ ପ୍ୟାନେଲ ମୁଖ୍ୟ କହିଛନ୍ତି । ଭାରତରେ ୧୨ ବର୍ଷରୁ କମ୍ ପ୍ରାୟ ୯୬ ପ୍ରତିଶତ ପିଲା ସୁରକ୍ଷିତ ବୋଲି ସେ କହିଛନ୍ତି ।