ନୂଆଦିଲ୍ଲୀ: ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ପାଖାପାଖି ଏକ ବର୍ଷ ଧରି ଭାରତ ଓ ଚୀନ୍ ସେନା ମୁହାଁମୁହିଁ ରହିବା ପରେ ଏବେ ସ୍ଥିତି ସୁଧୁରିବାକୁ ଲାଗିଛି। ଚୀନ୍ ତା’ ସେନାକୁ ପଛକୁ ହଟାଉଛି। ଚୀନର ପଛକୁ ହଟିବା ଭାରତ ପାଇଁ ଏକ ବଡ଼ ଧରଣ ରଣନୈତିକ ବିଜୟ ବୋଲି କୁହାଯାଉଛି । ଏହା ମଧ୍ୟରେ ଭାରତୀୟ ସେନାର ଉତ୍ତର କମାଣ୍ଡ ମୁଖ୍ୟ କମାଣ୍ଡର ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀ ଏହି ପ୍ରସଙ୍କକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଚୀନ୍ ସହ ଯୁଦ୍ଧ ଆଶଙ୍କାକୁ ଭାରତ ଟାଳିଛି । ଭାରତ ଓ ଚୀନ୍ ଯୁଦ୍ଧ ମୁହାଣରେ ଥିଲେ ବୋଲି ସେ ଦାବି କରିଛନ୍ତି।
ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜୋଷୀ କହିଛନ୍ତି ଯେ, ଗତ ୯ ମାସ ଧରି ଲଦ୍ଦାଖରେ ଚୀନ୍ ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଅନେକ ଉତ୍ଥାନ ପତନ ଆସିଥିଲା। ତେବେ ଅଗଷ୍ଟ ୩୧,୨୦୨୦ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ଅଧିକ ଥିଲା । ଦୁଇ ଦେଶ ସେହି ସମୟରେ ଯୁଦ୍ଧର ମୁହାଣକୁ ଚାଲି ଆସିଥିଲେ। ଭାରତ କୈଳାଶ ରେଞ୍ଜ ପାହାଡ ଉପରେ ୨୯ ଓ ୩୦ ଅଗଷ୍ଟରେ କବଜା କରିଥିଲା । ଭାରତ ଅଚାନକ ଏଭଳି ପଦକ୍ଷେପ ନେଇଥିଲା । ଯାହା ଚୀନ୍ ସେନାକୁ ଚକିତ କରିବା ସହ ଚିନ୍ତିତ ମଧ୍ୟ କରିଥିଲା। ଚୀନ୍ ସେନା ଭାରତ ବିରୋଧରେ ଏହାପରେ ଅପରେସନ ଆରମ୍ଭ କରିଥିଲା ।
ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀ କହିଛନ୍ତି ଯେ, ଗଲବାନ ଘଟଣା ଘଟିସାରିଥିଲା । ଦୁଇ ସେନା ମଧ୍ୟରେ ଲାଲ ରେଖା ଟଣା ସରିଥିଲା। ଆମେ ନିଜ ହିସାବରେ ଅଭିଯାନ ଆରମ୍ଭ କରିବାକୁ ସ୍ୱତନ୍ତ୍ର ଥିଲୁ। ସେହି ସମୟରେ ଯେତେବେଳେ ଆପଣ ଶତ୍ରୁ ସେନାକୁ ଘାଟି ଉପରକୁ ଚଢୁଥିବାର ଦେଖନ୍ତି, ମୋ ଟ୍ୟାଙ୍କ ମ୍ୟାନ୍, ଗନର, ରକେଟ୍ ଲଂଚର ସମସ୍ତେ ମଧ୍ୟ ଏହା ଦେଖୁଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ତାହା ସବୁଠୁ ସହଜ ଥିଲା ଯେଉଁଥିପାଇଁ ସେମାନେ ପ୍ରଶିକ୍ଷିତ। ଟ୍ରିଗର ଦବାଇବା । ଟ୍ରିଗର ଦବାଇବା ପାଇଁ କୌଣସି ସାହସର ଆବଶ୍ୟକତା ନଥାଏ । କିନ୍ତୁ ସାହସ ପାଇଁ ସବୁଠୁ ମୁସ୍କିଲ ବିଷୟ ହେଉଛି ଖୋଲାଖୋଲି ଫାୟାରିଂ କରାନଯିବା। ତେଣୁ ଏଭଳି ଗୋଟିଏ ସମୟ ଥିଲା ଯେତେବେଳେ ବାସ୍ତବରେ ଯୁଦ୍ଧ ଟଳିଥିଲା । ଆମେ ଯୁଦ୍ଧର ମୁହାଣରେ ଥିଲୁ।
ଏହାସହ ସେ ଗଲବାନ ଘାଟି ସଂଘର୍ଷରେ ମୃତହାତ ଚୀନ୍ ସୈନିକଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛନ୍ତି । ଲେଫ୍ଟନାଣ୍ଟ୍ ଜେନରାଲ ୱାଇ କେ ଜୋଷୀଙ୍କ ଅନୁସାରେ ଏହି ସଂଘର୍ଷରେ ଆନୁମାନିକ ଭାବେ ୪୫ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିଲେ । ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ଏଭଳି ଆଧିକାରିକ ବୟାନ ଆସିଛି ।

