ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି, ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ପରାମର୍ଶ

1 min read

ନୂଆଦିଲ୍ଲୀ: ଚୀନ-ଭାରତ ସୀମାରେ ସ୍ବାଭାବିକ ସ୍ଥିତି ରହିଛି । କୌଣସି ଦ୍ବିପାକ୍ଷିକ ସମସ୍ୟାର ସମାଧାନ ଦିଗରେ ଦୁଇ ପକ୍ଷ ସାମଗ୍ରିକ ଓ ଦୀର୍ଘସୂତ୍ରୀ ଦୃଷ୍ଟିରୁ ବିଚାର କରିବା ଆବଶ୍ୟକ ବୋଲି କହିଛନ୍ତି ଚୀନର ଉପବୈଦେଶିକ ମନ୍ତ୍ରୀ ସୁନ ଓ୍ବଡିଙ୍ଗ । ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ସହମତି ଭିତ୍ତିକ ଆଲୋଚନା ଅନୁସାରେ ଭାରତ ଓ ଚୀନ କାର୍ଯ୍ୟ କରିବା ଉଚିତ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ବର୍ତ୍ତମାନ ଭାରତ-ଚୀନ ସୀମାନ୍ତରେ ସ୍ଥିତି ସ୍ବାଭାବିକ ରହିଛି ଏବଂ ଜରୁରୀକାଳୀନ ସମସ୍ୟା ବଦଳରେ ସ୍ବାଭାବିକ ପରିଚାଳନା ଓ ନିୟନ୍ତ୍ରଣ ବ୍ୟବସ୍ଥା ଜାରି ରହିଛି । ବିଶ୍ବଶାନ୍ତି ଓ ସାଧାରଣ ବିକାଶ ନୀତି ଅନୁସାରେ ନିଜକୁ ଚୀନ ପର୍ଯ୍ୟବସିତ କରିଛି ଏବଂ ଏଦିଗରେ ନିଜର ବୈଦେଶିକ ନୀତି ପ୍ରତି ଅଙ୍ଗୀକାର ରହିଛି ବୋଲି ସେ କହିଛନ୍ତି ।

ଭାରତ ଓ ଚୀନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲାଗି ଚୀନ ଚାହୁଁଛି । ପ୍ରାଚୀନ ସଭ୍ୟତା ଭାବେ ଭାରତର ବହୁମୁଖୀ ପରିଚୟ ରହିଛି ଏବଂ ଏକ ପ୍ରମୁଖ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ଭାବେ ଭାରତ ନିଜକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି ସୁନ ଓ୍ବଡିଙ୍ଗ । ସୀମାରେ ଭାରତୀୟ ସେନାର ଅନୁପସ୍ଥିତିର ଫାଇଦା ଚୀନ ଉଠାଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ୬୫ଟି ଫ୍ଲାସ ପଏଣ୍ଟରୁ ୨୬ଟିରେ ଭାରତ ନିଜର ନିୟନ୍ତ୍ରଣ ହରାଇଛି ବୋଲି ରିପୋର୍ଟରେ କୁହାଯାଇଥିଲା ।