ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ଅଭିନେତ୍ରୀ ନୋରା ଫତେହି

ନୂଆଦିଲ୍ଲୀ: ପୁଣି ବଢିଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । ଜ୍ୟାକଲିନ ଓ ୧୫ଟି ମଡିଆ ହାଉସ ବିରୋଧରେ ମାନହାନି ମାମଲା ଦାୟର କରିଛନ୍ତି ଅଭିନେତ୍ରୀ ନୋରା ଫତେହି । ନୋରାଙ୍କ ସମ୍ପର୍କରେ ଜ୍ୟାକଲିନ ଦେଇଥିବା ମନ୍ତବ୍ୟକୁ ଏହି ଗଣମାଧ୍ୟମଗୁଡିକ ନାନା ଭାବେ ଚିତ୍ରଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୋରା । ପରସ୍ପର ସହ ସଲାସୁତୁରା କରି ଜ୍ୟାକଲିନ ଓ ୧୫ଟି ମିଡିଆ ହାଉସ ଏହି ଚକ୍ରାନ୍ତ ଚଳାଇଛନ୍ତି ବୋଲି ନୋରା ଅଭିଯୋଗ କରିଛନ୍ତି । ନୋରାଙ୍କ ଆର୍ଥିକ, ସାମାଜିକ ଓ ବ୍ୟକ୍ତିଗତ କ୍ଷତି କରିବା ଲାଗି ଜ୍ୟାକଲିନ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ନିଜ ପିଟିସନରେ ଦାୟର କରିଛନ୍ତି ନୋରା ।

ନୋରାଙ୍କ ସହ ପ୍ରତିଯୋଗିତା କରିବାରେ ଅକ୍ଷମ ଜ୍ୟାକଲିନ ଏହି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଠକ ସୁକେଶ ଚନ୍ଦ୍ରଶେଖରଠାରୁ ଜ୍ୟାକଲିନ ଦାମୀ ଗିଫ୍ଟ ପାଇଥିବାବେଳେ ନୋରା ଫତେହି ମଧ୍ୟ ଅନେକ ଉପହାର ପାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ କ୍ରମେ ଦୁଇ ଅଭିନେତ୍ରୀ ବର୍ତ୍ତମାନ ଜେରାର ସମ୍ମୁଖୀନ ହୋଇଛନ୍ତି । ଗତ ଡିସେମ୍ବର ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରାବେଳେ ସେ ସୁକେଶଠାରୁ କୌଣସି ଗିଫ୍ଟ ପାଇନାହାନ୍ତି ବୋଲି କହିଥିଲେ ନୋରା ।