ଅଣ ମୁସଲମାନଙ୍କଠାରୁ ଜିଜିଆ କର ଅସୁଲ କରିବା ପାଇଁ ତାଲିବାନକୁ କହିଲା ବ୍ରିଟିଶ୍ ଧର୍ମ ପ୍ରବଚକ ଅଞ୍ଜେମ ଚୌଧୁରୀ

ଲଣ୍ଡନ: ବ୍ରିଟେନର ସବୁଠାରୁ କୁଖ୍ୟାତ ମୁସଲିମ ଧର୍ମ ପ୍ରବଚକ ଭାବେ ପରିଚିତ ଅଞ୍ଜେମ ଚୌଧୁରୀ ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲଗାଯିବା ସପକ୍ଷରେ ଯୁକ୍ତି ବାଢିଛି । ଶତାଧିକ ମୌଳବାଦୀ ଓ ଆତଙ୍କବାଦୀଙ୍କୁ ପ୍ରେରିତ କରିଥିବା ଚୌଧୁରୀ ତାଲିବାନକୁ ଆଫଗାନିସ୍ତାନରେ ରହୁଥିବା ଅଣ ମୁସଲମାନଙ୍କ ଉପରେ ଜିଜିଆ କର ଲାଗୁ କରିବା ପାଇଁ ପରାମର୍ଶ ଦେଇଛି । ଏହା ସହିତ ସେ ଆଫଗାନିସ୍ତାନରେ ସଂଗୀତ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରିବା ପାଇଁ କହିଛି । ଜିଜିଆ କାଫିରଙ୍କ କର ବୋଲି ସେ କହିଛି । ଏହା ସହିତ ସେ ତାଲିବାନକୁ ଅନୁରୋଧ କରୁଛି ଯେ, ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ମଧ୍ୟ ପଥର ମାରି ହତ୍ୟା କରାଯାଉ ।

ଡେଲି ମେଲ୍ ଅନୁସାରେ ସେ ତାଲିବାନକୁ ଚୋରଙ୍କ ହାତ କାଟିବାକୁ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଚାବୁକ ମାଡ କରିବାକୁ କହିଛି । ଚୌଧୁରୀ କହିଛି ଯେ, ଆଫଗାନିସ୍ତାନରେ ରହୁଥିବା ସବୁ ଅଣ ମୁସଲମାନଙ୍କ ସୁରକ୍ଷା ପାଇଁ ଜିଜିଆ କର ଦେବା ବାଧ୍ୟତାମୁଳକ କରିଦେବା ଆବଶ୍ୟକ । ଏହି କୁଖ୍ୟାତ ବ୍ରିଟିଶ ଧର୍ମ ପ୍ରବଚକ ଜଣକ ତାଲିବାନକୁ ଆଫଗାନିସ୍ତାନର ନାମ ବଦଳାଇ ଇସଲାମିକ୍ ଷ୍ଟେଟ କରିବାକୁ ପରାମର୍ଶ ଦେଇଛି ।

ସଂଗୀତକୁ ବ୍ୟାନ୍ କର

ଚୌଧୁରୀ ଭାରତୀୟ ଉପମହାଦେଶରେ ସବୁ ଦେଶର ସୀମାକୁ ଶେଷ କରିଦେବା ପାଇଁ ଆହ୍ୱାନ କରିଛି । ସେ କହିଛି ଯେ ଦେଶ ଦେଶ ମଧ୍ୟରେ ଥିବା ସୀମାକୁ ଶେଷ କରି ଦିଆଯାଉ । ନୂଆ ଇସଲାମିକ ଷ୍ଟେଟ୍ ପାଇଁ ବାହାର ଦେଶର ମୁସଲମାନଙ୍କୁ ନିମନ୍ତ୍ରଣ କରାଯାଉ,ଯେମିତିକି ଉପ ମହାଦେଶର ସବୁ ମୁସଲମାନ ଏକାଠି ହୋଇ ପାରିବେ । ୩୫ଶହ ଶବ୍ଦର ଏକ ନିବନ୍ଧ ଲେଖି ଚୌଧୁରୀ ପାଶ୍ଚାତ୍ୟ ସଂସ୍କୃତିର ସବୁ ଚିହ୍ନ ଲୋପ କରିବା ପାଇଁ ସଂଗୀତ ଓ ନାଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇ ତାଲିବାନକୁ ଆହ୍ୱାନ କରିଛି ।

ଜାତିସଂଘକୁ ବାହର କର

କାବୁଲରୁ ମୁସଲିମ୍ ଦେଶଙ୍କ ସହିତ ବିଶ୍ୱର ବାକି ଦେଶଙ୍କ ଦୂତାବାସକୁ ବନ୍ଦ କରିବା ପାଇଁ ତାଲିବାନକୁ ପରାମର୍ଶ ଦେଇଛି ଚୌଧୁରୀ । ଏହା ସହିତ ତାଲିବାନ କାବୁଲରୁ ଜାତିସଂଘ ପ୍ରତିନିଧିଙ୍କୁ ମଧ୍ୟ ବାହାର କରି ବିଶ୍ୱ ସଂଗଠନର ଅଫିସ ବନ୍ଦ କରିବାକୁ କହିଛି । ସୂଚନାଯୋଗ୍ୟ ଯେ, ଇସଲାମିକ ଷ୍ଟେଟର ସମର୍ଥକ ଚୌଧୁରୀ ୫ ବର୍ଷ ଜେଲରେ ରହିବା ପରେ ବାହାରକୁ ବାହାରିଥିଲା । ତେବେ ଜେଲରୁ ବାହାରିବା ପରେ ସାର୍ବଜନିକ ଭାବେ ସେ କୌଣସି ବୟାନ ଜାରି କରିପାରିବ ନାହିଁ ବୋଲି ତାକୁ ବ୍ରିଟିସ ସରକାର କହିଥିଲେ । ତେବେ ତା’ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ଏଇ କିଛି ଦିନ ହେବ ହଟିଥିଲା । ପ୍ରତିବନ୍ଧକ ହଟିବା ପରେ ଚୌଧୁରୀ ଏବେ ଟେଲିଗ୍ରାମରେ ତା’ର ଏହି ବିବାଦୀୟ ବିବୃତି ଜାରି କରିଛି ।

Leave a Reply