ନନ୍ଦିଘୋଷ ବ୍ୟୁରୋ: ଗ୍ରେଟର ନୋଏଡା ଇଂଜିନିୟର ମୃତ୍ୟୁ ଘଟଣାରେ ଜଣେ ରିଅଲ ଇଷ୍ଟେଟ ଡେଭଲପର ଗିରଫ । ଏକ ନିର୍ମାଣ ସ୍ଥାନରେ ପାଣି ଭର୍ତ୍ତି ଖାତରେ କାର ବୁଡ଼ିଯିବାରୁ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଏମଜେଡ୍ ୱିଜଟାଉନ୍ ପ୍ଲାନର୍ସର ଜଣେ ଅଧିକାରୀ ଅଭୟ କୁମାରଙ୍କୁ ଗିରଫଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ହେମନ୍ତ ଉପାଧ୍ୟାୟ । ସ୍ୱତନ୍ତ୍ର ତଦନ୍ତ ଦଳ ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିଛି। ମୃତକଙ୍କ ପିତା ରାଜକୁମାର ମେହେଟ୍ଟା ସରକାରଙ୍କ ଦ୍ୱାରା ନିଆଯାଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ SIT ଗଠନ ଦ୍ୱାରା ସେ ଆଶ୍ୱସ୍ତ ହୋଇଛନ୍ତି।
“ମୋ ପୁଅର ଆତ୍ମାକୁ ନ୍ୟାୟ ମିଳିଛି । ଆମେ ଗଣମାଧ୍ୟମ ପ୍ରତି ମଧ୍ୟ କୃତଜ୍ଞ ଯେ ସେମାନେ ଠିକ୍ ସମୟରେ, ଠିକ୍ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏପରି ଘଟଣା ପୁନରାବୃତ୍ତି ନ ଘଟିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଗତ ଶୁକ୍ରବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଖାତକୁ ଖସି ପଡ଼ିବାରୁ ଜଣେ ୨୭ ବର୍ଷିୀୟ ଇଂଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଠିକ୍ ସମୟରେ ତାଙ୍କୁ ଉଦ୍ଧାର କରାଯାଇନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ସେକ୍ଟର ୧୫୦ ରେ ଘନକୁହୁଡ଼ି ଯୋଗୁ ଏକ ଗଭୀର ଡ୍ରେନର ପାଚେରୀକୁ ଧକ୍କା ଦେଇ ଖସିପଡିଥିଲା କାର। ମୃତକ ହେଉଛନ୍ତି ଯୁବରାଜ ମେହଟ୍ଟା। ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ଅଘଟଣ ଘଟିଥିଲା। କାରରୁ ସେ ବାହାରିବାକୁ ସକ୍ଷମ ହୋଇଥିବାବେଳେ ଦୁର୍ଘଟଣା ନେଇ ସେ ବାପା ରାଜକୁମାରଙ୍କୁ ଜଣାଇଥିଲେ। ବାପା ତୁରନ୍ତ ୧୧୨କୁ ଏ ବିଷୟରେ ଜଣାଇବା ସହ ସେ ନିଜେ ଘଟଣାସ୍ଥଳକୁ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳକୁ ଆସିଥିଲେ। ସେତେବେଳକୁ ସେ କାର ଉପରେ ମୋବାଇଲ ଟର୍ଚ୍ଚ ଜାଳି ଠିଆ ହୋଇଥିଲେ। ମାତ୍ର ଘନକୁହୁଡି ଯୋଗୁ ପୋଲିସ ତାଙ୍କୁ ଠାବ କରିପାରି ନଥିଲା। ରେସ୍କ୍ୟୁ ଅପରେସନ ବିଳମ୍ବ ହେବାରୁ କାର୍ ସହ ସେ ବୁଡିଯାଇଥିଲେ।

